Below header

କିସ୍‌ ରକ୍ତରେ ବହୁଛି ଗାନ୍ଧୀ ଓ ମଣ୍ଡେଲାଙ୍କ ଚିନ୍ତାଧାରା : ଡ. ଅଚ୍ୟୁତ ସାମନ୍ତ

ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଦକ୍ଷିଣ ଆଫ୍ରିକାର କୃଷ୍ଣକାୟ ନେତା ନେଲସନ୍‌ ମଣ୍ଡେଲାଙ୍କ ଚିନ୍ତା ଧାରାରେ ଗଢ଼ି ଉଠିଛି ଭୁବନେଶ୍ୱର ସ୍ଥିତ କିଟ୍‌ ଏବଂ କିସ୍‌ ଅନୁଷ୍ଠାନ। ସେମାନଙ୍କ ଦର୍ଶନ, ଆଦର୍ଶ ଓ ଚିନ୍ତାଧାରା ପ୍ରତିଫଳିତ ହୋଇଛି ଏହି ଦୁଇ ଅନୁଷ୍ଠାନରେ । ଓଡ଼ିଶାରୁ ନିରକ୍ଷରତା, ଦାରିଦ୍ର୍ୟ ଓ କ୍ଷୁଧା ଦୂର କରିବା ଦିଗରେ ମୋର ପ୍ରଚେଷ୍ଟାକୁ ଏହି ପୁରସ୍କାର ଆହୁରି ପ୍ରେରଣା ଯୋଗାଇବ । ଏହା କହିଛନ୍ତି ଶିକ୍ଷାବିତ ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତ । ତାଙ୍କୁ ଗୁରୁବାର ଦିନ ନୂଆଦିଲ୍ଲୀଠାରେ ‘ଗାନ୍ଧୀ ମାଣ୍ଡେଲା ଶାନ୍ତି ପୁରସ୍କାର’ ପ୍ରଦାନ କରାଯାଇଛି । ଏହି ଅବସରରେ ନିଜ ଦ୍ୱାରା ପ୍ରତିଷ୍ଠିତ ଦୁଇ ବିଶ୍ୱ ପ୍ରସିଦ୍ଧ ଅନୁଷ୍ଠାନ କିଟ୍‌ ଓ କିସ୍‌ର ଉଦାହରଣ ଦେଇ ଗାନ୍ଧୀ ଓ ମଣ୍ଡେଲା ଯେଭଳି ନିଜ ଲକ୍ଷ୍ୟ ହାସଲ ପାଇଁ ସମସ୍ତ ବାଧା ପ୍ରତିବନ୍ଧକକୁ ସାମନା କରି ମାନବ ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରିଥିଲେ ସେହି ବିଶ୍ୱାସ ନେଇ ମୁଁ ମଧ୍ୟ ଆଗେଇ ଚାଲିଛି ବୋଲି ଡ. ସାମନ୍ତ କହିଛନ୍ତି ।

ସେ ଆହୁରି କହିଛନ୍ତି, ନେଲସନ୍‌ ମଣ୍ଡେଲାଙ୍କ ଆଦର୍ଶ ଥିଲେ ମହାତ୍ମା ଗାନ୍ଧୀ । ସେ କହିଥିଲେ, ଭାରତ ହେଉଛି ମହାତ୍ମାଙ୍କ ଜନ୍ମସ୍ଥାନ । ଶିକ୍ଷାରେ ଏଭଳି ଶକ୍ତି ରହିଛି ଯାହା ସାରା ଦୁନିଆକୁ ବଦଳାଇ ଦେଇ ପାରିବ । ଆଉ ନେଲସନ୍‌ ମଣ୍ଡେଲା ସାରା ଜୀବନ ଏଥିପାଇଁ ସଂଘର୍ଷ କରି ସଫଳ ହୋଇଥିଲେ । ତାଙ୍କରି ସଂଘର୍ଷମୟ ଜୀବନ ଭଳି ଡ. ସାମନ୍ତଙ୍କ ଜୀବନ ମଧ୍ୟ ସଂଘର୍ଷରୁ ଆରମ୍ଭ ହୋଇଥିଲା ।
କିଭଳି ମାତ୍ର ୪ ବର୍ଷ ବୟସରେ ତାଙ୍କର ପିତାଙ୍କ ଦେହାନ୍ତ ହେଲା ଏବଂ ୭ ଜଣ ଭାଇ ଭଉଣୀଙ୍କୁ ନେଇ ପେଟ ପୋଷିବାର ସଂଘର୍ଷର କଥା କହିଥିଲେ । ଆଉ ସେହି ସଂଘର୍ଷ ଭିତରୁ ଜନ୍ମ ନେଇଛନ୍ତି କିଟ୍‌ ଓ କିସ୍‌ । ଯାହା ଆଜି ବିଶ୍ୱର ମର୍ଯ୍ୟାଦାଜନକ ଅନୁଷ୍ଠାନ ଭାବେ ପରିଗଣିତ ହେଉଛନ୍ତି ।

କିଟ୍‌ରେ ୫୩ଟି ଦେଶର ପ୍ରାୟ ୩୦ ହଜାର ପିଲା ଶିକ୍ଷା ଲାଭ କରୁଥିବା ବେଳେ ବିଶ୍ୱର ସର୍ବବୃହତ୍‌ ଜନଜାତି ଆବାସିକ ଶିକ୍ଷାନୁଷ୍ଠାନ ହେଉଛି କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନସେସ୍‌ ‘କିସ୍‌’ । ଯେଉଁଠି ପ୍ରାୟ ୬୦ ହଜାର ଜନଜାତି ପିଲାମାନେ ମାଗଣା ଶିକ୍ଷା, ଖାଦ୍ୟ ଏବଂ ଆବସର ସୁବିଧା ପାଇଁ ଶିକ୍ଷା ଲାଭ କରିଛନ୍ତି । ସେମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରିବା ସହ ସବୁ ପରିସ୍ଥିତିର ସାମନା କରିବା ଲାଗି ପ୍ରସ୍ତୁତ କରାଯାଇଛି । ଯେଉଁମାନଙ୍କ ମଧ୍ୟରୁ ୧୫ ହଜାର ପିଲା ଶିକ୍ଷା ଶେଷ କରି ଦେଶ ବିଦେଶର ବିଭିନ୍ନ ଅନୁଷ୍ଠାନରେ ନିଯୁକ୍ତି ପାଇଛନ୍ତି । କିସ୍‌ରେ ୬୨ଟି ବିଭିନ୍ନ ସମ୍ପ୍ରଦାୟର ଜନଜାତି ପିଲାଙ୍କ ଘର ପାଲଟିଛି ।

DR. SAMANTA-2
ଉଭୟ ଗାନ୍ଧୀ ଓ ମଣ୍ଡେଲାଙ୍କ ମତରେ ସତ୍ୟ ହେଉଛି ସବୁଠୁ ବଡ଼ । ସତ୍ୟ ହେଉଛି ଈଶ୍ୱର, ଈଶ୍ୱର ହେଉଛନ୍ତି ସତ୍ୟ । ଏହାକୁ କିସ୍‌ରେ ମଧ୍ୟ ପାଳନ କରାଯାଉଛି । ସେହିପରି ଗାନ୍ଧୀଙ୍କ ମହିଳା ସଶକ୍ତିକରଣ ଆହ୍ଵାନକୁ କିସ୍‌ରେ ନିଷ୍ଠାର ସହ ପାଳନ କରାଯାଉଛି । ଏଠାରେ ୬୦ ପ୍ରତିଶତ ଝିଅ ପାଠ ପଢୁଛନ୍ତି । ଝିଅମାନଙ୍କୁ ବାଲ୍ୟ ବିବାହକୁ ବିରୋଧ କରିବା ଲାଗି ସଚେତନ କରାଯିବା ସହ ନିର୍ଭୟରେ ଜୀବନ ଯାପନ କରିବା ପାଇଁ ଉଚିତ ଶିକ୍ଷା ମଧ୍ୟ ଦିଆଯାଉଛି । ମହିଳା ସଶକ୍ତିକରଣ ଦିଗରେ କଳିଙ୍ଗ ଫେଲୋସିପ୍‌ ଏବଂ କନ୍ୟା କିରଣ ଭଳି କାର୍ଯ୍ୟକ୍ରମ କିସ୍‌ ତରଫରୁ କରାଯାଉଥିବା ଡ. ସାମନ୍ତ ତାଙ୍କ ଭାଷଣରେ କହିଛନ୍ତି ।

DR. SAMANTA-4

ନିଜର ମାଟି ଓ ସଂସ୍କୃତିରୁ ବିଚ୍ୟୁତ ନହୋଇ କିସ୍‌ରେ ଶିକ୍ଷା ଲାଭ କରୁଥିବା ଜନଜାତିର ପିଲାମାନେ ଗାନ୍ଧୀ ଓ ମଣ୍ଡେଲାଙ୍କ ଚିନ୍ତାଧାରା ଓ ଆଦର୍ଶକୁ ସାର୍ଥକ କରିଛନ୍ତି । ଏହି ଦୁଇ ମହାନ୍‌ ଜନନେତାଙ୍କ ଚିନ୍ତାଧାରାର ରକ୍ତ କିସ୍‌ରେ ବହୁଛି । ଏହା ହେଉଛି ଆଧୁନିକ ଯୁଗର ‘ରାମ ରାଜ୍ୟ’, ଯେଉଁଠି ଗାନ୍ଧୀ ଓ ମଣ୍ଡେଲାଙ୍କ ଚିନ୍ତାଧାରା ସାକାର ରୂପ ନେଇଛି ବୋଲି କହିଛନ୍ତି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।
କେବଳ ଦୃଢ଼ ଇଚ୍ଛାଶକ୍ତି ହିଁ ଆମ ଭିତରେ ଗାନ୍ଧି ଓ ମଣ୍ଡେଲାଙ୍କ ଚିନ୍ତାଧାରାକୁ ବଞ୍ଚାଇ ରଖିବା ସହ ଆମ କାର୍ଯ୍ୟଧାରାରେ ସାମିଲ ହୋଇ ପାରିବ ଏବଂ ଆମକୁ ଜଣେ ଜଣେ ବିଜେତା ଭାବେ ପ୍ରତିପାଦିତ କରି ପାରିବ ବୋଲି ପୁରସ୍କାର ଗ୍ରହଣ କରି ଏହା କହିଛନ୍ତି ଡ. ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.