ଗଞ୍ଜେଇ କାରବାର ନେଇ ବାହାରୁଛି ନୂଆ ନୂଆ ତରିକା, ଆଳୁ ବୋଝେଇ ଟ୍ରକରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କାର ନୀଳ ଜହର

କନ୍ଧମାଳ: ଗଞ୍ଜେଇ କାରବାର ନେଇ ନୂଆ ନୂଆ ତରିକା ଖୋଜି ବାହାର କରୁଛନ୍ତି ଦୁବୃତ୍ତ । ପ୍ରଶାସନ ତରଫରୁ କଟକଣା ଜାରି ହେଉଥିଲେ ମଧ୍ୟ ଗଳା ବାଟ ଖୋଜି ବାହାର କରୁଛନ୍ତି ଅପରାଧୀ । ପନିପରିବା ଟ୍ରକରେ ଚାଲାଣ ହେଉଛି ଗଂଜେଇ । ଆଳୁ ବୋଝେଇ ଗାଡିରେ ହେଉଛି ଗଂଜେଇ ଚାଲାଣ । କନ୍ଧମାଳ କ.ନୂଆଗାଁ ଅଞ୍ଚଳରେ ଏକ ପିକଅପ୍‌ ଭ୍ୟାନରେ ଆଳୁ ବସ୍ତା ଭିତରେ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ୧୩୧ କେଜିର ଗଂଜେଇ ଜବତ କରିଛି ପୋଲିସ । ଜବତ ଗ଼ଞ୍ଜେଇର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

କାରବାରରେ ସଂପୃକ୍ତ ପଞ୍ଚିମବଙ୍ଗର ଦୁଇ ଜଣ ଗିରଫ ହୋଇଥିବା ବେଳେ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ଅଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାର କଣ୍ଟାମାଳ ଅଞ୍ଚଳରୁ ଗଂଜେଇ ଚାଲାଣ ହେଉଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୪ କୁଇଣ୍ଟାଲରୁ ଅଧିକ ଗଂଜେଇ ଜବତ ହୋଇଛି । ଜଣେ କନ୍ଧମାଳର ହୋଇଥିବା ବେଳେ ଅନ୍ୟ ଜଣେ ବୌଦ୍ଧର । କରୋନା କଟକଣା ପାଇଁ ଗଂଜେଇ ଚାଲାଣ ବନ୍ଦ ଥିବା ବେଳେ ଏବେ ପୁଣି ମାଫିଆ ସକ୍ରିୟ ହୋଇଛନ୍ତି । କହିରଖିବା ଉଚିତ ହେବକି, କିଛି ଦିନ ତଳେ ପଣସ ବୋଝେଇ ଗାଡ଼ିରେ ନିଶା ଦ୍ରବ୍ୟ ନିଆଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.