ମାଟ୍ରିମୋନିଆଲ ସାଇଟରେ ନିଜକୁ ନୌସେନା ଅଧିକାରୀ କହି ଯୁବତୀଙ୍କୁ କରିଥିଲା ବ୍ଲାକମେଲ, ଏବେ ଗିରଫ

ମାଟ୍ରିମୋନିରେ ସାଇଟ୍ ଖୋଲି ନିଜକୁ ନୌସେନାର ଅଫିସର ପରିଚୟ ଦେଇଥିଲେ ଏବଂ ପରେ ଯୁବତୀଙ୍କୁ ଫସାଇ ବ୍ଲାକମେଲ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତରେ ଫଟୋ ଓ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ଗିରଫ।

ଭୁବନେଶ୍ୱର (କେନ୍ୟୁଜ): ବିବାହ ପାଇଁ ମାଟ୍ରିମୋନିଆଲ ସାଇଟ୍ ରେ ବର ଖୋଜୁଛନ୍ତି କି? ସୁନ୍ଦର ଯୁବକଙ୍କ ଫଟୋ ଦେଖି ଚାଟିଂ କରୁଛନ୍ତି କି ? ମିଠା ମିଠା କଥାରେ ସାତ ଜନ୍ମର ସାଥୀ ପାଇଁ ସ୍ୱପ୍ନ ଦେଖୁଛନ୍ତି କି ? ଯଦି ହଁ, ତାହେଲେ ସାବଧାନ ହୋଇଯାଆନ୍ତୁ । କାରଣ ମିଛ ସୂଚନା ଦେଇ ଲୋକଙ୍କୁ ପ୍ରତାରଣା କରାଯାଉଛି। ଏବେ ମାଟ୍ରିମୋନିଆଲରେ ବିବାହ ପ୍ରସ୍ତାବ ଦେଇ ହସ୍ତସନ୍ତ ହେଇଛନ୍ତି ଏକ ପରିବାର। ମାଟ୍ରିମୋନିରେ ସାଇଟ୍ ଖୋଲି ନିଜକୁ ନୌସେନାର ଅଫିସର ପରିଚୟ ଦେଇଥିଲେ ଏବଂ ପରେ ଯୁବତୀଙ୍କୁ ଫସାଇ ବ୍ଲାକମେଲ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତରେ ଫଟୋ ଓ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ଯୁବକ ସୌମ୍ୟରଞ୍ଜନ ମିଶ୍ରଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଏମିତି ଘଟଣା ଭୁବନେଶ୍ଵରରେ ଘଟିଛି। ଭୁବନେଶ୍ବର ମହିଳା ଥାନା ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିବା ସହ ତଦନ୍ତ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି । ତାଙ୍କଠାରୁ ପୋଲିସ ଗୋଟିଏ ଭେରେନା କାର, ମୋବାଇଲ ଫୋନ ଓ ଲ୍ୟାପଟପ୍ ଜବତ କରିଛି।

ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ନୌସେନା ଅଧିକାରୀର ପରିଚୟ ଦେଇ ମାଟ୍ରିମୋନିଆଲ ସାଇଡରେ ଆକାଉଂଟ ଖୋଲି ଯୁବତୀଙ୍କ ଫସାଇଥିଲେ । ପରେ ଏହା ଫେକ୍ ଆଇଡି ବୋଲି ଝିଅଘର ଲୋକ ଜାଣିବା ପରେ ବିବାହ ଭାଙ୍ଗିଦେଇଥିଲେ । ଏହା ପରେ ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହୋଟେଲକୁ ଡ଼ାକି ତାଙ୍କ ଇଚ୍ଛା ବିରୁଦ୍ଧରେ ନିର୍ଯ୍ୟାତନା ଦେଇଥିଲେ ଏବଂ ଉକ୍ତ କାର୍ଯ୍ୟର ଭିଡିଓ ରେକର୍ଡ କରି ସେଗୁଡିକୁ ଭାଇରାଲ କରିବାର ଧମକ ଦେଇ ପୀଡିତାଙ୍କୁ ବ୍ଲାକମେଲ କରିଥିଲେ ।

ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ତାଙ୍କର ଓ ପୀଡ଼ିତାଙ୍କର ଆପତ୍ତିଜନକ ଫଟୋ, ଭିଡିଓ, ଧମକପୂର୍ଣ୍ଣ ତଥା ଅପମାନଜନକ ବାର୍ତ୍ତାକୁ ପୀଡ଼ିତାଙ୍କ ଅନ୍ୟତ୍ର ବିବାହ ପ୍ରସ୍ତାବ ସ୍ଥିର ହୋଇଥିବା ବ୍ୟକ୍ତିଙ୍କୁ ପଠାଇଦେଇଥିଲେ । ଏନେଇ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.