ଶ୍ରୀମନ୍ଦିର ଆଇନର ସଂଶୋଧନକୁ ବିରୋଧ କରି ଦାୟର ମାମଲା: ପ୍ରତିପକ୍ଷଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ପୁରୀ(କେନ୍ଯୁଜ୍): ଶ୍ରୀଜଗନ୍ନାଥ ମନ୍ଦିର ଆଇନର ସଂଶୋଧନକୁ ବିରୋଧ କରି ଦାୟର ମାମଲାରେ ପ୍ରତିପକ୍ଷଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି, ଦେବୋତ୍ତର କମିସନ ଓ ଅନ୍ୟମାନଙ୍କୁ ନୋଟିସ୍‌ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଆଧାରରେ ଗ୍ରହଣ କରାଯାଉଥିବା ପଦକ୍ଷେପର ଭବିଷ୍ୟତ ମାମଲାର ଚୂଡାନ୍ତ ଫଳାଫଳ ଉପରେ ର୍ନିଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭ରେ ହେବ । ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ନିକଟରେ ସରକାର ସଂଶୋଧନ ଆଣିଥିଲେ । ସଂଶୋଧନ ନେଇ ଜାନୁଆରି ୯ରେ ଅଧ୍ୟାଦେଶ ଜାରି କରାଯାଇଥିଲା ।

ମୂଳ ଆଇନରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା କୌଣସି ଅସ୍ଥାବର ସମ୍ପତ୍ତିର ଦଖଲରେ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ବିନା ଏହାକୁ ବିକ୍ରି କରିପାରୁ ନଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ଏଭଳି ବ୍ୟବସ୍ଥାରେ ସରକାର ସଂଶୋଧନ ଆଣିଥିଲେ । ଏହା ପରେ ଶ୍ରୀଜଗନ୍ନାଥଙ୍କ ଅସ୍ଥାବର ସଂପତ୍ତି ବିକ୍ରି ବା ଲିଜରେ ଦେବା ପାଇଁ ପରିଚାଳନା କମିଟିକୁ ଆଉ ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ଆବଶ୍ୟକ ନାହିଁ । ଆଇନରେ ସଂଶୋଧନ ଆଣି ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଏପରି କ୍ଷମତା ପ୍ରଦାନ କରିବା ଦ୍ୱାରା ଶ୍ରୀଜଗନ୍ନାଥଙ୍କ ସଂପତ୍ତି ପ୍ରତି ବିପଦ ଦେଖା ଦେଇଛି ବୋଲି ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି । ଆଇନରେ କରାଯାଇଥିବା ସଂଶୋଧନକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.