Below header

ରେକର୍ଡ ବର୍ଷା : ଟପିଗଲା ମହାବାତ୍ୟା ଓ ଫାଇଲିନକୁ

ଭୁବନେଶ୍ବର : ଗାଁଠୁ ସହର ସବୁ ଜଳାର୍ଣ୍ଣବ । ଦୁଇତିନି ଦିନର ଲଗାଣ ବର୍ଷାରେ ବେହାଲ ଓଡ଼ିଶା। ରାଜଧାନୀରୁ ଆରମ୍ଭ କରି ପୁରୀ ଓ କଟକ ସହର ସହ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ । ଏହା ପଛରେ ରହିଛି ରେକର୍ଡ ପରିମାଣର ବର୍ଷା। ଏପରିକି ଏହା ୩୬ ବର୍ଷର ରେକର୍ଡ ଭାଙ୍ଗିଛି । ବୁର୍ଲା ହୀରାକୁଦ ମାଷ୍ଟର କଣ୍ଟ୍ରୋଲ ରୁମ୍‌ରେ ଗୋଟିଏ ଦିନରେ ୬୨୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଓଡ଼ିଶାର ଯେକୌଣସି ଷ୍ଟେସନରେ ରେକର୍ଡ ହୋଇଥିବା ବର୍ଷାଠାରୁ ଏହା ସର୍ବାଧିକ । ପୂର୍ବରୁ ୧୯୮୨ ଅଗଷ୍ଟ ୧୯ରେ ସମ୍ବଲପୁରରେ ୫୮୧ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା ।

ଗତ ୨୪ ଘଣ୍ଟାରେ ୬ଟି ଜିଲ୍ଲାରେ ୧୦୦ ମିମି, ୧୪ଟି ବ୍ଲକରେ ୨୦୦ ଓ ୪୯ଟି ବ୍ଲକ୍‌ରେ ଶହେରୁ ୨ଶହ ମିମି ବର୍ଷା ରେକର୍ଡ କରାଯାଇଛି । ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଯେଉଁ ପରିମାଣର ବର୍ଷା ହୋଇଛି, ତାହା ୧୯୯୯ ମହାବାତ୍ୟା ଓ ୨୦୧୩ ଫାଇଲିନ୍‌ ସମୟଠାରୁ ମଧ୍ୟ ଅଧିକ । ୧୯୯୯ ଅକ୍ଟୋବର ୩୦ରେ ବାରଙ୍ଗରେ ୬୦, ଜଟଣୀରେ ୨୧୩, ବ୍ରହ୍ମଗିରିରେ ୯୦, ଡେଲାଙ୍ଗରେ ୨୨୮ ଓ ପୁରୀରେ ୨୪୧ ମିମି ବର୍ଷା ହୋଇଥିଲା। ଫାଇଲିନ ସମୟରେ ୨୦୧୩ ଅକ୍ଟୋବର ୧୩ରେ ବାରଙ୍ଗରେ ୧୨୦, ଜଟଣୀରେ ୨୧୫, ବ୍ରହ୍ମଗିରିରେ ୧୩୨, ଡେଲାଙ୍ଗରେ ୧୬୦ ଓ ପୁରୀରେ ୧୩୦ ମିମି ବର୍ଷା ହୋଇଥିଲା। ଗତକାଲି ବାରଙ୍ଗରେ ୨୦୫, ଜଟଣୀ ୨୫୫, ବ୍ରହ୍ମଗିରି ୨୯୩, ଡେଲାଙ୍ଗ ୨୪୫ ଓ ପୁରୀରେ ୩୨୨ ମିମି ବର୍ଷା ହୋଇଛି । ଏବେ ବର୍ଷା କମିଛି । ଜଟିଳ ପରିସ୍ଥିତି ସୃଷ୍ଟି ହେବ ନାହିଁ। ଏହାସହ ଅତ୍ୟଧିକ ବର୍ଷା ଯୋଗୁ ଆଗକୁ ମରୁଡ଼ି ଆଶଙ୍କା ନଥିବା ଅନୁମାନ କରାଯାଉଛି।

ବର୍ଷାରେ ବେହାଲ ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର : 

ବର୍ଷା, ବନ୍ୟା ଓ କ୍ଷୟକ୍ଷତି । ଦୁଇ ଦିନର ଲଘୁଚାପ ବର୍ଷା ବିଗାଡ଼ି ଦେଇଛି ରାଜ୍ୟର କେତେକ ଜିଲ୍ଲାର ହାଲ୍‌ । ନଦୀନାଳ ଉଛୁଳିଛି । ଗାଁଗଣ୍ଡାରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ କିଛି ଅଞ୍ଚଳରେ ଚାଷବାସ ପ୍ରଭାବିତ ହୋଇଛି । ବେଶୀ କ୍ଷତିଗ୍ରସ୍ତ ହୋଇଛି ସମ୍ବଲପୁର ଜିଲ୍ଲା । ସମ୍ବଲପୁରରେ ୧ଲକ୍ଷ ୨୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ଆଜି ବର୍ଷା ସାମାନ୍ୟ କମିଥିବାରୁ ଜୀବନଯାତ୍ରା ସ୍ୱାଭାବିକ ହୋଇଛି ।

ଲଘୁଚାପ ବର୍ଷାରେ ପ୍ରଭାବିତ ହୋଇଛନ୍ତି ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ୍‌ର ଲୋକ । ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ବି ବନ୍ୟା ପରିସ୍ଥିତି । ଜିଲ୍ଲାକୁ ସଂଯୋଗ କରୁଥିବା ବିଭିନ୍ନ ବ୍ରିଜ୍‌ ଉପରେ ପାଣି ପ୍ରବାହିତ ହୋଇଥିଲା ।

ବୋରିଗୁମ୍ମା ବ୍ଲକ ଦେଇ ପ୍ରବାହିତ ସିଙ୍ଗରି ନଦୀ ଉପରେ ୫ ଫୁଟ୍‌ର ବନ୍ୟା ଜଳ । ଠପ୍‌ ହୋଇଛି ବହୁ ଗାଁକୁ ଯାଆସ । ସେପଟେ କଳାହାଣ୍ଡି ଜିଲ୍ଲାରେ ବର୍ଷା କମିବା ପରେ ଧୀରେ ଧୀରେ ଖସୁଛି ବିଭିନ୍ନ ନଦୀର ଜଳସ୍ତର । ହାତୀ ଓ ତେଲ୍‌ ନଦୀରେ ବନ୍ୟା ଆସିବାରୁ ବହୁ କ୍ଷୟକ୍ଷତି ହୋଇଛି । ନବରଙ୍ଗପୁର ଜିଲ୍ଲାରେ ବି ବର୍ଷାରେ ଭାଙ୍ଗିଯାଇଛି ବହୁ ଘରଦ୍ୱାର ।

ଲଗାଣ ବର୍ଷାରେ ବେଶୀ ପ୍ରଭାବିତ ହୋଇଚି ସମ୍ବଲପୁର, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲା । ସମ୍ବଲପୁର ମ୍ୟୁନିସିପାଲିଟିରେ ୧୨ଟି ଓ୍ଵାର୍ଡର ୧ଲକ୍ଷ ୨୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ନଷ୍ଟ ହୋଇଛି ୭୨୬ ଟି ଘର । ୩୨୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ରିଲିଫ ଯୋଗାଇ ଦିଆଯାଉଛି । ସ୍ଥାନାନ୍ତର ବେଳେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କାଲାମାଟି ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି ।

ବନ୍ୟା ପରିସ୍ଥିତି ନଥିଲେ ବି ବର୍ଷା ବିତ୍ପାତ ଯୋଗୁଁ ବିଭିନ୍ନ ସ୍ଥାନରେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍‌ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ । ୨୨ଟି ସ୍ଥାନରେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ ଓଡ୍ରାଫ୍‌ ଟିମ୍‌ । ୧୯ଟି ସ୍ଥାନରେ ରାସ୍ତା ସଫା କରାଯାଇଥିଲା । ଉଦ୍ଧାରକାରୀ ଦଳ ପ୍ରାୟ ୫ଶହ ଜଣଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ । ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ଘର ଓ ନିରାପଦ ଆଶ୍ରୟ ସ୍ଥଳ ନିର୍ମାଣ ଦ୍ୱାରା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଏଥର ବର୍ଷା ବିତ୍ପାତରେ ଏସବୁର ଫାଇଦା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.