Below header

କାଲି ପର୍ଯ୍ୟନ୍ତ ଲାଗି ରହିବ ବର୍ଷା, ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ହେବ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଶନିବାର ସୁଦ୍ଧା ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ପହଁଚିଛି ମୌସୁମୀ । ଏହାସହ ପୁରୀ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମୌସୁମୀ ପହଁଚିଛି । ଓଡ଼ିଶା ଉପରେ ଥିବା ଲଘୁଚାପ ଆଗାମୀ ୨-୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହୋଇ ଓଡ଼ିଶା, ଝାଡଖଣ୍ଡ ଓ ଛତିଶଗଡ଼ ଆଡେ ଅଗ୍ରସର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ମୌସୁମୀ ଓ ଲଘୁଚାପ ପ୍ରଭାବରେ ସୋମବାର ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଭଳି ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଆଜି ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସାରା ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୧୪ ଓ ୧୫ ତାରିଖରେ ଅନେକ ଭାରି ବର୍ଷା ହୋଇପାରେ । ଗତକାଲି ଟ୍ଵିନ୍‌ସିଟିରେ ରାତି ସାଢେ ୮ଟା ସୁଦ୍ଧା ୩୭ ମିଲିମିଟର ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.