ସବୁ ପାରିବ ଏଇ ମଣିଷ, ଅମଙ୍ଗ ଲୋକଙ୍କୁ ସ୍ଥାନାନ୍ତର କଲେ ଆଉ ଅସହାୟଙ୍କୁ କାନ୍ଧରେ ବୋହିଲେ ଥାନା ଅଧିକାରୀ

ରାଜନଗର (କେନ୍ୟୁଜ୍‌) : ଆସିଲା, ଡରାଇଲା ଆଉ ଚାଲିଗଲା ବାତ୍ୟା ‘ୟସ୍‌’ । ହେଲେ ତାରି ଭିତରେ ଅନେକ କଥା ଦେଖିବାକୁ ମିଳିଲା । ବାତ୍ୟାର ତାଣ୍ଡବ, ବିପର୍ଯ୍ୟୟ ଆଉ ମାନବିକତା । ପ୍ରକୃତିର କୋପକୁ ସିନା ରୋକି ହେବ ନାହିଁ ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଲେ ଅନ୍ତତଃ ବିପର୍ଯ୍ୟୟ ଓ ବିପଦକୁ ଏଡ଼ାଇ ହେବ । ତେଣୁ ରାଜ୍ୟ ସରକାରଙ୍କ ତରଫରୁ ବାତ୍ୟାର ମୁକାବିଲା ପାଇଁ ଖୁବ୍‌ ବଲ ଭାବେ ପ୍ରାକ୍‌ପ୍ରସ୍ତୁତି କରାଯାଇଥିଲା । ଏହି ପ୍ରସ୍ତୁତିରେ ପୋଲିସ୍‌, ପ୍ରଶାସନ, ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକେ ସାମିଲ ହୋଇଥିଲେ । ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ଜାଗାକୁ ଆଣିବା । ଏଥିରେ ଚଳିତ ଥର ବିଶେଷ ଭାବେ ପୋଲିସ୍‌ ଭାଇମାନଙ୍କ ତତ୍ପାରତା ବେଶ୍‌ ଦେଖିବାକୁ ମିଳିଥିଲା । ଏମାନଙ୍କ ଭିତରେ ବାରି ହୋଇ ପଡ଼ିଥିଲେ କେନ୍ଦ୍ରାପଡ଼ା ରାଜନଗର ଆଇଆଇସି ତପନ ନାୟକ। କାଦୁଅ ପଚପଚ ରାସ୍ତାରେ ୫ କିଲୋମିଟର ଚାଲି ଚାଲି ପ୍ରାୟ ୬୦ଟି ପରିବାରକୁ ସ୍ଥାନାନ୍ତରିତ କରିଥିଲେ । ବାତ୍ୟା କିଛି ଅଘଟଣ ଘଟାଇବା ପୂର୍ବରୁ ସେମାନଙ୍କ ଜୀବନ ବଞ୍ଚାଇଥିବାରୁ ପ୍ରଶଂସା ସାଉଁଟୁଛନ୍ତି ଆଇଆଇସି ତପନ।

କେନ୍ଦ୍ରାପଡ଼ା ରାଜନଗର ବ୍ଲକରେ ୟସ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ତେବେ ବାତ୍ୟା ପହଞ୍ଚିବା ପୂର୍ବରୁ ୨୫ ତାରିଖ ଦିନ ସାତଭାୟା ପଞ୍ଚାୟତର ମଗରକନ୍ଦାରେ ପହଞ୍ଚିଥିଲେ ଏହି ପୋଲିସ୍‌ ଅଧିକାରୀ । ସେଠାରେ ବସବାସ କରୁଥିବା ୬୦ପରିବାରର ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ବୁଝାଶୁଝା କରି ସୁରକ୍ଷିତ ଜାଗାକୁ ନେଇ ଆସିଥିଲେ ।

IIC-2

ଚାଲିବାକୁ ସକ୍ଷମ ନଥିବା ଲୋକଙ୍କ ନିଜ କାନ୍ଧରେ ବୋହି ଆଣିଥିଲେ ତପନ । ବାତ୍ୟା ଆସିବାର ବହୁ ପୂର୍ବରୁ ମଗରକନ୍ଦା ବାସିନ୍ଦାଙ୍କୁ ସେମାନଙ୍କ ଥଇଥାନ ସ୍ଥଳୀ ବଗପାଟିଆକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା। ତେବେ ବର୍ଷକ ଯାକର ଖାଦ୍ୟ ଓ ଗୃହପାଳିତ ପଶୁପକ୍ଷୀଙ୍କୁ ଛାଡି ଆସିବାକୁ ଅମଙ୍ଗ ହୋଇଥିଲେ ଲୋକେ । ଏପଟେ ୨୫ତାରିଖ ଅପରାହ୍ନ ସୁଦ୍ଧା ପବନ ଓ ବର୍ଷାର ବେଗ ବଢୁଥାଏ । ତେଣୁ ସେମାନଙ୍କୁ ସ୍ଥାନାନ୍ତର ନେଇ ପ୍ରଶାସନର ମୁଣ୍ଡବ୍ୟଥା ମଧ୍ୟ ବଢୁଥିଲା । ଏକଥା ଜାଣିବା ପରେ ରାଜନଗର ଥାନାଧିକାରୀ ତପନ ନାୟକ ବାଉଁଶଗଡ଼ର କୁମ୍ଭୀରପୂର୍ଣ୍ଣ ନଦୀ ପାର ହୋଇ ସେଠାରେ ପହଞ୍ଚିଥିଲେ । ଲୋକମାନଙ୍କୁ ବୁଝାଇ ଥଇଥାନ ସ୍ଥଳୀକୁ ନେଇ ଆସିଥିଲେ । ବାଉଁଶଗଡ଼ ନଦୀଠାରୁ ମଗରକନ୍ଦା ଗାଁ ୫କିଲୋମିଟର ଦୂର । ଯାତାୟାତର ମଧ୍ୟ ସୁବିଧା ନଥିବାରୁ ପାଦରେ ବର୍ଷା କାଦୁଅରେ ଚାଲିଚାଲି ଲୋକମାନଙ୍କୁ ଆଶ୍ରୟସ୍ଥଳୀ ନେଇ ପହଞ୍ଚାଇଥିଲେ ଥାନାଧିକାରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.