କୋଭିଡ ଟିକାକରଣରେ ତ୍ରୁଟି ସମ୍ପର୍କିତ ମାମଲା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ

କଟକ(କେନ୍ୟୁଜ): କୋଭିଡ ଟିକାକରଣରେ ତ୍ରୁଟି ସମ୍ପର୍କିତ ମାମଲାର ଶୁଣାଣି କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଜଷ୍ଟିିସ ବିଶ୍ଵନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏପ୍ରିଲ ୫ରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ଶୁଣାଣି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦାଖଲ ଜବାବରେ ଦର୍ଶା ଯାଇଥିଲା କୋଭିଡ ଟିକାକରଣ ସାର୍ଟିଫିକେଟରେ ତାରିଖ ବା କେନ୍ଦ୍ର ସଂକ୍ରାନ୍ତରେ ସଂଶୋଧନ କରାଯିବା ଲାଗି କିଛି ବ୍ୟବସ୍ଥା ନାହିଁ । ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଟିକା ନେଇଥିବା ପ୍ରତି ବ୍ୟକ୍ତିଙ୍କ ଭବିଷ୍ୟତ ଚିକିତ୍ସା ସାର୍ଟିଫିକେଟ ଉପରେ ନିର୍ଭର କରୁଛି । ଭୁଲ ଟିକାକରଣ ସାର୍ଟିଫିକେଟ ପାଇଁ ଦେଶର ନାଗରିକମାନେ ସ୍ୱାସ୍ଥ୍ୟଗତ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷ ରଖିବା ଆବଶ୍ୟକ ବୋଲି ହାଇକୋର୍ଟ କହିବା ସହ ଏପ୍ରିଲ ୫ରେ ସଚିବଙ୍କ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ଵରର ବାସିନ୍ଦା ଆବେଦନକାରୀ ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ କୋଭାକ୍ସିନ ଟିକାର ପ୍ରଥମ ଓ ଦ୍ଵିତୀୟ ଡୋଜ୍‌ ନେଇଥିବା ବେଳେ ତାଙ୍କୁ ମିଳିଥିବା ସାର୍ଟିଫିକେଟରେ ଟିକାକରଣ ତାରିଖ ଓ କେନ୍ଦ୍ର ସଂପର୍କରେ ଭୁଲ ତଥ୍ୟ ଉଲ୍ଲେଖ କରାଯାଇଥିଲା । ଫଳରେ ବୁଷ୍ଟର ଡୋଜ ନେବାରେ ସମସ୍ୟା ଦେଖା ଦେଇଥିଲା । ବାରମ୍ବାର ଅନୁରୋଧ ପରେ ମଧ୍ୟ ସାର୍ଟିଫିକେଟରେ ସଂଶୋଧନ କରାଯାଇ ନଥିଲା । ଏନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ମାର୍ଚ୍ଚ ୩ରେ ହାଇକୋର୍ଟ ଏସଂପର୍କିତ ମାମଲାର ଶୁଣାଣି କରି ଟିକାକରଣ ସାର୍ଟିଫିକେଟରେ ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଦିଷ୍ଟ ୱେବସାଇଟରେ ପ୍ରଭାବିତ ନାଗରିକମାନେ ଆବେଦନ ପାଇଁ ବ୍ୟବସ୍ଥା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.