ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ, ଶପଥ ପାଠ କରାଇଲେ ରାଜ୍ୟପାଳ
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ରାଜ୍ୟପାଳ ରଘୁବର ଦାସ ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ପୁରୁଣା ବିଲ୍ଡିଂର ପୂର୍ବଭାଗ ଲନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ ସିଂ।
କଟକ (କେନ୍ୟୁଜ): ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ରାଜ୍ୟପାଳ ରଘୁବର ଦାସ ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ପୁରୁଣା ବିଲ୍ଡିଂର ପୂର୍ବଭାଗ ଲନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ ସିଂ। ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ କେନ୍ଦ୍ର ସରକାର ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ । ଜଷ୍ଟିସ ଶୁଭାଶିଷ ତାଳପତ୍ର ଗତ ଅକ୍ଟୋବର ୩ ତାରିଖରେ ଅଵସର ନେବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ଖାଲି ରହିଥିଲା।
ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ୧୯୬୩ ଜାନୁଆରି ୨୦ରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଲ’ ସେଣ୍ଟରରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ । ୧୯୯୦ ଅକ୍ଟୋବର ୩୦ରେ ଆଇନଜୀବୀ ଭାବେ ନାମ ପଞ୍ଜୀକରଣ କରିଥିଲେ ଚକ୍ରଧାରୀ ଶରଣ ସିଂ। ୧୯୯୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଟନା ହାଇକୋର୍ଟରେ ମାମଲା ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଭାବେ ନିଯୁକ୍ତି ମିଳିଥିଲା। ସେ ମେଡିଏଟର ଭାବେ ୨୦୦୬ରେ ତାଲିମ ଗ୍ରହଣ କରିଥିଲେ । ପାଟନା ହାଇକୋର୍ଟ ମେଡିଏସନ୍ ସେଣ୍ଟରରେ ମେଡିଏଟର ଭାବେ ଚକ୍ରଧାରୀ ଶରଣ ସିଂଙ୍କୁ ମିଳିଥିଲା ନିଯୁକ୍ତି ।
୨୦୧୦ ସେପ୍ଟେମ୍ବର ୧୮ରୁ ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଥିଲା। ସେହିବର୍ଷ ଡିସେମ୍ବରରେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦବୀରେ କାର୍ଯ୍ୟରତ ବେଳେ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୨ ଏପ୍ରିଲ ୫ରେ ପାଟନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଚକ୍ରଧାରୀ ଶରଣ ସିଂ । ୨୦୨୩ ଫେବ୍ରୁଆରୀ ୬ରୁ ମାର୍ଚ୍ଚ ୨୮ ତାରିଖ ଯାଏ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଇଥିଲେ । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି ପୂର୍ବରୁ ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବରେ କାର୍ଯ୍ୟରତ ଥିଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ବିଧି ବ୍ୟବସ୍ଥା ଅନୁଯାୟୀ ୨୦୨୫ ମସିହା ଜାନୁଆରୀ ୧୯ ତାରିଖରେ ସେ ଅଵସର ନେବେ ।