କରାଟେ ପ୍ରତି ଥିବା ଆଗ୍ରହ ଆଜି ରୁଦ୍ରଙ୍କୁ ଆଣି ଦେଇଛି ସଫଳତା, ୧୩ ବର୍ଷ ବୟସରେ ଆଣିଲେ ସୁନାମ

କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସୁନା ପୁଅ ରୁଦ୍ରନାରାୟଣ ପ୍ରଧାନ । ନିକଟରେ ଭୁବନେଶ୍ୱର ଠାରେ ସମାପ୍ତ ହୋଇଥିବା ସର୍ବ ଭାରତୀୟ କରାଟେ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି ।

କନ୍ଧମାଳ (କେନ୍ୟୁଜ): ମନରେ ପ୍ରବଳ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୁଏ । ଛୋଟ ବେଳୁ କରାଟେ ପ୍ରତି ଥିବା ଆଗ୍ରହ ଆଜି ତାଙ୍କୁ ଆଣି ଦେଇଛି ସଫଳତା । ତାଙ୍କ ସଫଳତାରେ ବାପା ମା’ଙ୍କ ଠାରୁ ଆରମ୍ଭ କରି ସମସ୍ତେ ବେଶ ଖୁସି ଅଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ଛାତ୍ର ।

କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସୁନା ପୁଅ ରୁଦ୍ରନାରାୟଣ ପ୍ରଧାନ । ନିକଟରେ ଭୁବନେଶ୍ୱର ଠାରେ ସମାପ୍ତ ହୋଇଥିବା ସର୍ବ ଭାରତୀୟ କରାଟେ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ଏଭଳି ସଫଳତା ପାଇବା ପରେ ରୁଦ୍ରନାରାୟଣଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଧବଳେଶ୍ୱର ପ୍ରଧାନ ଏବଂ କୁନି ପ୍ରଧାନଙ୍କ ଏକ ମାତ୍ର ପୁଅ ରୁଦ୍ର । ବୟସ ମାତ୍ର ୧୩ ବର୍ଷ । ସେ ୧୦ ବର୍ଷ ବୟସରେ ଉତ୍କଳ କରାଟେ ସ୍କୁଲ ଟିକାବାଲି ଠାରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । କରାଟେ ସ୍କୁଲ ତଥା କନ୍ଧମାଳର ଗୌରବ ରୁଦ୍ରନାରାୟଣ ଗତ ଡିସେମ୍ବର ୨୪ ତାରିଖରେ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ସର୍ବ ଭାରତୀୟ କରାଟେ ଚାମ୍ପିୟନସିପରେ ସଫଳତା ପାଇଛନ୍ତି । ଯାହା ଓଡିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ । କନ୍ଧମାଳର ରୁଦ୍ରନାରାୟଣ ପ୍ରଧାନ କରାଟେ ଫାଇଟରେ ବିଲୋ ୫୫ କି.ଗ୍ରା ବର୍ଗରେ ଫାଇଟ୍‌ କରି କାଂସ୍ୟ ପଦକ ହାତେଇ ଉତ୍କଳ କରାଟେ ସ୍କୁଲ, କନ୍ଧମାଳ ଏବଂ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ନିକଟରେ ଅନୁଷ୍ଠିତ ହେଇଥିବା ଭୁବନେଶ୍ୱର କିଟ୍ ପରିସରରେ କାଦମ୍ବିନୀ ସାହିତ୍ୟ ପତ୍ରିକା ଉତ୍ସବରେ କନ୍ଧମାଳର ଗର୍ବ ଓ ଗୌରବ ରୂପରେ ରୁଦ୍ରନାରାୟଣଙ୍କୁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଉତ୍ସବରେ ସମ୍ମାନିତ କରିବା ସହ କିଛି ରାଶି ପ୍ରଦାନ କରିଥିଲେ । ଏନେଇ ପରିବାର ବର୍ଗ ଡଃ ଅଚ୍ୟୁତ ସାମନ୍ତ ଏବଂ ଇତିରାଣୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରୁଦ୍ରନାରାୟଣ ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଛନ୍ତି କରାଟେ ସ୍କୁଲ କନ୍ଧମାଳର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ଜୁନେସ ଦିଗାଳ ଏବଂ ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର କହଁର । ତାଙ୍କ ଦୃଢ଼ ପ୍ରଚେଷ୍ଟା ଏବଂ ରୁଦ୍ରନାରାୟଣ ଦୃଢ଼ ପରିଶ୍ରମ ଆଜି ତାଙ୍କୁ ଜାତୀୟ ସ୍ତରରେ ପହଞ୍ଚାଇ କାଂସ୍ୟ ପଦକ ଜିତିବାରେ ସାହାଯ୍ୟ କରିଛି । ରୁଦ୍ରନାରାୟଣଙ୍କର ପରବର୍ତ୍ତୀ ଲକ୍ଷ୍ୟ ଏବଂ ସଂକଳ୍ପ ସ୍ୱର୍ଣ୍ଣ ପଦକ ।

ଛୋଟ ବେଳୁ ରୁଦ୍ରନାରାୟଣଙ୍କର କରାଟେ ପ୍ରତି ରୁଚି ଥିଲା । ସେ ଦିନେ କରାଟେରେ ସର୍ବ ଭାରତୀୟ ସ୍ତରରେ ଖେଳି ପଦକ ଜିତିବେ ଆଶା ରଖିଥିଲେ ଏବଂ ଆଜି ରୁଦ୍ରନାରାୟଣଙ୍କର ସେହି ଆଶା ସାକାର ହୋଇଛି । ପୁଅର ସଫଳତାରେ ବାପା, ମା’ ଏବଂ ପରିବାର ବର୍ଗ ବେଶ୍‌ ଖୁସି ଅଛନ୍ତି । ରୁଦ୍ରନାରାୟଣ କରାଟେ ଆସୋସିଏସନ କନ୍ଧମାଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏହି ସଫଳତାକୁ ନେଇ କନ୍ଧମାଳ କରାଟେ ମହଲରେ ଏବଂ ରୁଦ୍ରନାରାୟଣଙ୍କ ଇଡେନ ପବ୍ଲିକ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ସେ ଆଗକୁ ଆହୁରି ବଢ଼ନ୍ତୁ ତାହା ହିଁ ସମସ୍ତଙ୍କ କାମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.