ଜଣେ ଏଚ୍‌ଆଇଭି ସଂକ୍ରମିତ ଯୁବତୀଙ୍କ କାହାଣୀ, ପିଲା ବେଳୁ ବାପା ମା ଛେଉଣ୍ଡ ହୋଇ ବି ନିଜକୁ କରି ପାରିଛନ୍ତି ସ୍ୱାବଲମ୍ବୀ

ବ୍ରହ୍ମପୁର (କେନ୍ୟୁଜ) : ସେ ଜନ୍ମରୁ ସାଙ୍ଗରେ ଧରି ଆସିଥିଲେ ଏଚଆଇଭି ଭଳି ଦୂରାରୋଗ୍ୟ ରୋଗ । ତା ପରେ ତାଙ୍କର ଯେଉଁ ଭଉଣୀଟି ହେଲେ ସେ ମଧ୍ୟ ଏଥିରେ ସଂକ୍ରମିତ ଥିଲେ । ବୟସ ମାତ୍ର ସାତ ବର୍ଷ ହୋଇଥିବା ବେଳେ ତାଙ୍କ ଠାରୁ ଦୂରେଇ ଗଲେ ବାପା ଓ ମା । ନିଜ ଇଚ୍ଛାରେ ନୁହେଁ, ଈଶ୍ୱରଙ୍କ ଇଚ୍ଛାରେ । ରୋଗ କଣ ଜାଣିବା ପୂର୍ବରୁ ତାଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ବାପା ମା । କେବଳ ସାନ ଭଉଣୀଟିଏ ଥିଲା ତାଙ୍କ ସହିତ। ବାପା ମୁମ୍ବାଇରେ ଜଣେ ବାଇକ୍‌ ମେକାନିକ ଭାବେ କାମ କରୁଥିଲେ । ତେବେ କୌଣସି କାରଣରୁ ଏଡସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ । ବାପାଙ୍କ ମୃତ୍ୟୁ ପରେ ମା’ ମଧ୍ୟ ବେଶି ଦିନ ବଞ୍ଚି ରହିଲେ ନାହିଁ । ବାକି ରହିଗଲେ ତାଙ୍କର ଦୁଇ ଝିଅ ।

ସେତେବେଳେ ତାଙ୍କୁ ମାତ୍ର ୭ ବର୍ଷ ବୟସ । ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଲେ ଦୁଇ ଭଉଣୀ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ନିକଟ ଏକ ଆଶ୍ରୟ ସ୍ଥଳୀରେ ଥଇଥାନ କରିଥିଲା । ପରବର୍ତ୍ତୀ ସମୟରେ ଜଣା ପଡ଼ିଲା ଯେ ଦୁଇ ଭଉଣୀ ଏଚ୍‌ଆଇଭି ସଂକ୍ରମିତ । ତେଣୁ ସେମାନଙ୍କୁ ଗୋପାଳପୁର ଠାରେ ଥିବା ଶ୍ରଦ୍ଧା ସଞ୍ଜିବନୀ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଥିଲା । ସେଠାରେ ରହି ଝିଅଟି ଭଲ ପାଠ ପଢ଼ିଲା । ଦଶମ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ଯ ହେଲା ।

ପରେ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଇଲେକଟ୍ରିସିଆନ ଟ୍ରେଡ଼ରେ ନାମ ଲେଖାଇଲେ । ଦୁଇ ବର୍ଷ ଧରି ଆଇଟିଆଇରେ ପାଠପଢ଼ିବା ପରେ କ୍ଯାମ୍ପସ ସିଲେକ୍ସନରେ ଚାକିରି ପାଇଲେ । ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ମିଳିଲା ଚାକିରି । ବର୍ତ୍ତମାନ ସେ ମାସକୁ ଦରମା ପାଉଛନ୍ତି ୧୩ ହଜାର ଟଙ୍କା । ଏଥିରେ ସେ ନିଜର ଭରଣ ପୋଷଣ ସହ ସାନ ଭଉଣୀକୁ ମଧ୍ୟ ପାଠ ପଢ଼ାଉଛନ୍ତି । ଆଉ ସାନ ଭଉଣୀ ମଧ୍ୟ ତାଙ୍କ ଭଳି କେମିତି ନିଜ ଗୋଡରେ ଠିଆ ହୋଇ ରୋଜଗାର କରିବ ସେ ସ୍ୱପ୍ନ ଦେଖୁଛନ୍ତି ବଡ଼ ଭଉଣୀ । ନିଜକୁ କେବେ ଏଚଆଇଭି ସଂକ୍ରମିତ ବୋଲି ଭାବୁ ନାହାନ୍ତି ସେ । ମଣିଷ ହୋଇ ଜନ୍ମ ହୋଇଛନ୍ତି ଏବଂ ନିଜ କର୍ତ୍ତବ୍ୟ କରିବା ହେଉଛି ତାଙ୍କ ଧର୍ମ । ଏଇଆ ମନେ କରି ଆଗକୁ ବଢ଼ିଲେ । ଆଜି ତାଙ୍କୁ ସଫଳତା ବି ମିଳିଛି ।

ଏକଥା ସମସ୍ତେ ଜାଣିବା ଉଚିତ କି ଏଡସ ଏକ ସଂକ୍ରାମକ ରୋଗ ନୁହେଁ । ଆକ୍ରାନ୍ତଙ୍କୁ ଛୁଇଁଲେ କି ତାଙ୍କ ସହ ବସା ଉଠା କଲେ ଏହି ରୋଗ ବ୍ୟାପେ ନାହିଁ । ଏକଥା ବର୍ତ୍ତମାନର ପିଢ଼ି ଜାଣି ଗଲେଣି । ତେଣୁ ଏହି ଝିଅଟିକୁ ନିଜ ଦୈନନ୍ଦିନ ଜୀବନରେ ବିଶେଷ ଅସୁବିଧା ହେଲା ନାହିଁ । ତାଙ୍କର ଉତ୍ତମ ବ୍ୟବହାର ଯୋଗୁଁ ପାଠପଢ଼ିବା ସମୟରେ ସମସ୍ତେ ତାଙ୍କୁ ଖୁବ୍‌ ଭଲ ପାଉଥିଲେ । ତେଣୁ ତାଙ୍କୁ ସାହସ ମିଳୁଥିଲା । ଆଉ ଦୃଢ଼ ମନରେ ସେ କେବଳ ପାଠ ଉପରେ ଗୁରୁତ୍ୱ ଦେଉଥିଲେ ।

ଏଇ ଯୁବତୀଙ୍କ ଭଳି ଅନେକ ଆକ୍ରାନ୍ତ ଶିକ୍ଷା ଲାଭ କରି ବିଭିନ୍ନ କ୍ଷେତ୍ରରେ ଚିକିରି କରିଛନ୍ତି । ଆଉ ସେ ପୁରୁଣା ସମୟ ନାହିଁ ଯେ ତାଙ୍କ ଦେଖି କେହି ଘୃଣା କରିବେ କି ଡରି ଯାଇ ଦୂରେଇ ଦେବେ । ଲୋକେ ସଚେତନ ହେଲେ ଅନେକ ସମସ୍ୟାର ସମାଧାନ ହୋଇଯାଏ । ଯାହାର ଉଦାହରଣ ହେଉଛନ୍ତି ଏହି ଯୁବତୀ ଜଣକ ।
ଆମେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ଏହି ଖବରଟି ଅନେକ ପରିବାର ଓ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ଉଦାହରଣ । ଏଭଳି ମନୋବଳ ରଖିଲେ ପ୍ରତ୍ୟେକ ପ୍ରତିବନ୍ଧକ ଆପେ ଆପେ ହଟିଯିବ । ସରକାରଙ୍କ ନିୟମ ଏବଂ ମାନବିକତା ଦୃଷ୍ଟିରୁ ଆମେ ଏହି ଯୁବତୀଙ୍କ ନାମ ପ୍ରକାଶ କରୁ ନାହୁଁ କି ତାଙ୍କ ମୁହଁ ଦେଖାଇବାକୁ ଚାହୁଁ ନାହୁଁ । ହେଲେ ଏତିକି ଆପଣମାନଙ୍କୁ ଅନୁରୋଧ କି ଏହି ରୋଗକୁ ଘୃଣା କରନ୍ତୁ ହେଲେ ରୋଗୀକୁ ନୁହେଁ ।

ବ୍ରହ୍ମପୁରରୁ ମାନସ ବିଶୋୟୀଙ୍କ ରିପୋର୍ଟ, କେନ୍ୟୁଜ୍‌ ଓଡ଼ିଶା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.