ବୁର୍ଲା ଭିମସାରରେ HIV ସଂକ୍ରମିତ ରୋଗୀଙ୍କ ଅପରେସନ କରାଯିବା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ବୁର୍ଲା ମେଡିକାଲ ସୁପରିଟେଣ୍ଡେଣ୍ଟ

ସମ୍ବଲପୁର(କେନ୍ୟୁଜ୍):    ବୁର୍ଲା ଭିମସାର ମେଡିକାଲର ଦନ୍ତ ବିଭାଗରେ ଜଣେ HIV ସଂକ୍ରମିତ ରୋଗୀଙ୍କ ଅପରେସନ କରାଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ବୁର୍ଲା ମେଡିକାଲ ସୁପରିଟେଣ୍ଡେଣ୍ଟ। ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ କରାଯାଇଛି। ଅଭିଯୋଗ ଅନୁଯାୟୀ ବୁର୍ଲା ମେଡିକାଲର ଦନ୍ତ ବିଭାଗରେ ଜଣେ HIV ସଂକ୍ରମିତ ରୋଗୀଙ୍କ ଅପରେସନ କରାଯାଇଥିଲା। ଏହାପରେ ସଂକ୍ରମିତ ରୋଗୀଙ୍କ ଅପରେସନ ଉପକରଣରେ ଅନ୍ୟ ୧୨ଜଣଙ୍କ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ଏହା ଜଣାପଡିବା ପରେ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। HIV ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନେଇ ଅନେକ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି। କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ ନକରି HIV ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପରେ ଭିମସାରରେ ଚାଞ୍ଚଲ୍ୟ ଖେଳିଯାଇଛି।

ସଂପୃକ୍ତ ରୋଗୀଙ୍କ ଅପରେସନ ପାଇଁ ମେଡିକାଲ ଟିକେଟ ଓ ବିଭିନ୍ନ ପରୀକ୍ଷାରେ HIV ପଜିଟିଭ ବାହାରିଥିବାର ଟେଷ୍ଟ ରିପୋର୍ଟ ଓ ଅପରେସନ ସମୟର ପ୍ରମାଣ କଳିଙ୍ଗ ଟିଭି ହାତରେ ଲାଗିଛି। ନିୟମ ଅନୁସାରେ ସଂପୃକ୍ତ ରୋଗୀଙ୍କ ଅପରେସନ ସେହିଦିନର ଶେଷ ଅପରେସନ କିମ୍ବା କେବଳ ଶନିବାର ହେବା କଥା। ଅପରେସନ ନେଇ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅନୁମତି ଓ ଅପରେସନ ପରେ ସେହି ରୁମକୁ ମଧ୍ୟ ବନ୍ଦ କରିବା ମଧ୍ୟ ନିୟମ ରହିଛି। ହେଲେ ସମସ୍ତ ନିୟମକୁ ବେଖାତିର କରି ଦନ୍ତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପ୍ରଶାନ୍ତ ସ୍ୱାଇଁ ରୋଗୀର ଅପରେସନ କରିଛନ୍ତି। ଘଟଣା ପ୍ରଘଟ ହେବା ପରେ ସଂପୂର୍ଣ୍ଣ ବିଭାଗକୁ ବନ୍ଦ କରାଯାଇ ଷ୍ଟେରିଲାଇଜ କରାଯାଇଛି। ତେବେ ଆସିଷ୍ଟାଣ୍ଟ ପ୍ରଫେସର ପ୍ରଶାନ୍ତ ସ୍ୱାଇଁ କହିଛନ୍ତି, ପ୍ରୋଟୋକଲ ହିସାବରେ ଚିକିତ୍ସା କରାଯାଇଛି । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛିି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.