କଳିଙ୍ଗ ଷ୍ଟାଡିୟମ୍ରେ ଫାଇନାଲ୍ର ରୋମାଞ୍ଚକୁ କେହିବି ଭୁଲି ପାରିବେ ନାହିଁ

ଭୁବନେଶ୍ୱର (କେ ନ୍ୟୁଜ୍) : ଆଜି ଓଡ଼ିଶା ହକି ବିଶ୍ୱ କପ୍ ଫାଇନାଲ୍ ଦିନ କଳିଙ୍ଗ ଷ୍ଟାଡିୟମ ଭିତରେ ଥିଲା ଭିନ୍ନ ଏକ ପରିବେଶ । ଫାଇନାଲ୍ ମ୍ୟାଚ୍ର ଉତ୍ସାହ ସାଙ୍ଗକୁ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ଉପସ୍ଥିତି ରୋମାଞ୍ଚକୁ ଆହୁରି ବଢ଼ାଇ ଦେଇଥିଲା । ସାରା ଷ୍ଟାଡିୟମ୍ରେ ଗୁଞ୍ଜରି ଉଠିଥିଲା ସଚିନ୍, ସଚିନ୍ରେ । ସଚିନ୍ ନିଜେ ମଧ୍ୟ ଏତେ ସଂଖ୍ୟାରେ ଦର୍ଶକ ହକି ମ୍ୟାଚ୍ ଦେଖିବାକୁ ଆସିଥିବା ଦେଖି ଅଭିଭୂତ ହୋଇପଡ଼ିଥିଲେ । ଷ୍ଟାଡିୟମ ଭିତରୁ ନିଜେ ସେଲଫି ଉଠାଇ କଳିଙ୍ଗ ଷ୍ଟାଡିୟମରେ ହକିର ରୋମାଞ୍ଚ ସମ୍ପର୍କରେ ଟ୍ଵିଟ୍ କରିଥିଲେ ।
ଖାଲି ସେତିକି ନୁହେଁ, ହକି ବିଶ୍ୱକପ୍ର ଚମତ୍କାର ଆୟୋଜନ ପାଇଁ ହକି ଇଣ୍ଡିଆ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂୟସୀ ପ୍ରଶଂସା କରିଥିଲେ । ନବୀନ ଏବଂ ରାଜ୍ୟପାଳ ପ୍ରଫେସର ଙ୍କ ସହ ବସି ଖେଳ ଦେଖିଥିଲେ । ଓଡ଼ିଶାର ହକି କିମ୍ବଦନ୍ତୀ ଦିଲୀପ ତିର୍କି ଓ ସଚିନ୍ଙ୍କ ମିଳନ ମଧ୍ୟ ଏକ ନିଆରା ମୁହୂର୍ତ୍ତ ସୃଷ୍ଟି କରିଥିଲା ।
ଏଠାକାର ଆୟୋଜନ ଦେଖି ଅନ୍ତର୍ଜାତୀୟ ହକି ଫେଡେରେସନ୍ ଆଗାମୀ ଅଲିମ୍ପିକ୍ସ ହକିର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ରେ କରିବାକୁ ନିଷ୍ପତ୍ତି ନେଇଛି । ଏକଥା ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।
ଶ୍ରଦ୍ଧାଞ୍ଜଳି ଥିଲେ ଅତିଥି
ଭାରତୀୟ ମହିଳା ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଥିଲେ ଫାଇନାଲ୍ ମ୍ୟାଚ୍ର ବିଶେଷ ଅତିଥି । ସେ ବେଲଜିୟମ୍ ଖେଳାଳିଙ୍କୁ ଫ୍ୟାନ୍ସ ଚଏସ୍ ପୁରସ୍କାର ପ୍ରଦାନ କରିଥିଲେ । ପୂର୍ବରୁ ପ୍ରତି ଦିନ ଓଡ଼ିଶାର କ୍ରୀଡ଼ାବିତ୍ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅତିଥି କରାଯାଇଥିଲା । ଏପରିକି ଶ୍ରଦ୍ଧାଞ୍ଜଳି, ଅନୁରାଧା ବିଶ୍ୱାଳ, ଇଗ୍ନେସ୍ ତିର୍କି, ସୁଭଦ୍ରା ପ୍ରଧାନ ପ୍ରମୁଖ ମଧ୍ୟ ଅତିଥି ହୋଇଥିଲେ । ଆଜି କିନ୍ତୁ ବିଶେଷ ଦିନରେ ବିଶେଷ ଅତିଥି ହୋଇ ଶ୍ରଦ୍ଧାଞ୍ଜଳି ଖୁବ୍ ଖୁସି ଥିଲେ ।
ଦେଶୀ ବିଦେଶୀ ଦର୍ଶକ
ଦେଶୀ ବିଦେଶୀ ଦର୍ଶକରେ ଭରି ଯାଇଥିଲା ପୂରା ଷ୍ଟାଡିୟମ୍ । ଭାରତୀୟ ଦଳ ସିନା କ୍ୱାର୍ଟରଫାଇନାଲ୍ରେ ନେଦରଲାଣ୍ଡସ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇ ଯାଇଥିଲା ତଥାପି ହକି କ୍ରେଜ୍ କମି ନଥିଲା ସାରା ରାଜ୍ୟରେ । ମ୍ୟାଚ୍ ଦେଖିବାକୁ ପୂରା ଉତ୍ସାହର ସହ ଆସିଥିଲେ ରାଜ୍ୟବାସୀ । ପୁଣି ବିଦେଶରୁ ଛୁଟି ଆସିଥିଲେ ନେଦରଲାଣ୍ଡସ, ବେଲଜିୟମ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡର କ୍ରୀଡ଼ା ପ୍ରେମୀ । ଆଉ ଲାଗୁଥିଲା ସତରେ ଭୁବନେଶ୍ୱର ହୋଇ ପାରିଛି ଦେଶର କ୍ରୀଡ଼ା ରାଜଧାନୀ ଆଉ କଳିଙ୍ଗ ଷ୍ଟାଡିୟମ୍ ସଠିକ୍ ଭାବେ ମାନ୍ୟତା ପାଇଛି ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମ୍ର ।