ହଂକଂ କ୍ରିକେଟ୍ ଟିମ୍ ଅଧିନାୟକ ଜଣେ ଓଡ଼ିଆ, କିଏ ଆସନ୍ତୁ ଜାଣିବା

ଭୁବନେଶ୍ବର (କେନ୍ୟୁଜ୍) : ହଂକଂ କ୍ରିକେଟ୍ ଟିମର ଅଧିନାୟକ ଦାୟିତ୍ବରେ ଅଛନ୍ତି ଜଣେ ଓଡ଼ିଆ । ସେ ହେଉଛନ୍ତି ଅଂଶୁମାନ ରଥ । ଦଳରେ ସେ ଅଂଶୀ ଭାବେ ପରିଚିତ । ଅଂଶୁମାନ ଜଣେ ୱିକେଟ୍ କିପର/ବ୍ୟାଟସମ୍ୟାନ୍ । ୨୦ ବର୍ଷ ବୟସ୍କ ଅଂଶୁମାନ ୨୦୧୪ ନଭେମ୍ବର ୮ ତାରିଖରେ ତାଙ୍କ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ । ଅଷ୍ଟ୍ରେଲିଆରେ ପପୁଆ ନ୍ୟୁଗିନି ସହ ଥିଲା ତାଙ୍କର ପ୍ରଥମ ମ୍ୟାଚ୍ । ସେହିପରି ୨୦୧୫ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ସେ ନେପାଳ ସହ ଖେଳି ଆରମ୍ଭ କରିଥିଲେ ଟି-ଟ୍ବେଣ୍ଟି କ୍ୟାରିୟର ।

ଅଂଶୁମାନଙ୍କ ମୂଳ ପରିବାର ଭୁବନେଶ୍ବରରେ ରୁହନ୍ତି । ତେବେ ତାଙ୍କର ବାପା ହଂକଂରେ ପ୍ରାୟ ତିନି ଦଶନ୍ଧି ଧରି ରହି ଆସୁଛନ୍ତି । ୧୯୯୭ ନଭେମ୍ବର ୫ ତାରିଖରେ ହଂକଂରେ ଅଂଶୁମାନଙ୍କ ଜନ୍ମ । ତାଙ୍କ ବାପାଙ୍କ ଠାରୁ ପ୍ରେରଣା ପାଇ ସେ ମାତ୍ର ୪ ବର୍ଷ ବୟସରୁ କ୍ରିକେଟ୍ ଖେଳ ଆରମ୍ଭ କରିଥିଲେ । ପପୁଆ ନ୍ୟୁଗିନି ବିପକ୍ଷରେ ଆଇସିସି ବିଶ୍ବ କ୍ରିକେଟ୍ ଲିଗରେ ସେ ତାଙ୍କର ପ୍ରଥମ ଦିନିକିଆ ଶତକ ସ୍କୋର କରିଥିଲେ । ଅଂଶୁମାନ କରିଥିବା ଅପରାଜିତ ୧୪୩ ରନ୍ ହେଉଛି ଦଳ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ।

ANSHUMAN RATH-2

ଅଂଶୁମାନ ଇଂଲଣ୍ଡର ହାରୋ ସ୍କୁଲରେ ଶିକ୍ଷା ଲାଭ କରିଛନ୍ତି । ସେଠାରେ ଦ୍ବିତୀୟ ଶ୍ରେଣୀ କାଉଣ୍ଟିରେ ଖେଳିଥିଲେ । ଅଂଶୁମାନ କୁହନ୍ତି, ମୋର ଭାରତ ସହ ଆଉ ସିଧାସଳଖ କୌଣସି ସମ୍ପର୍କ ନାହିଁ । ଖାଲି ଏତିକି ମୋ ବାପା ମାଆ ହେଉଛନ୍ତି ଭାରତୀୟ ବା ଓଡ଼ିଆ । କିନ୍ତୁ ଭାରତ ହେଉଛି କ୍ରିକେଟ୍ କ୍ରେଜର ଦେଶ । ତେଣୁ ମୋ ଠାରେ ମଧ୍ୟ ସେହି ରକ୍ତ ରହିଛି । ସେଥିଲାଗି ମୁଁ ଭାରତୀୟ କ୍ରିକେଟକୁ ସବୁ ବେଳେ ଅନୁସରଣ କରେ । ବିଶେଷ କରି ସଚିନ୍ ତେନ୍ଦୁଲକରଙ୍କୁ ଦେଖି ଦେଖି ସେ କ୍ରିକେଟ୍ ପ୍ରତି ଆଗ୍ରହୀ ହୋଇଛନ୍ତି । ୨୦୦୩ ବିଶ୍ବ କପ୍ ବେଳେ ତାଙ୍କୁ ମାତ୍ର ୬ ବର୍ଷ ବୟସ ହୋଇଥିଲା । ତେବେ ସେ ସଚିନଙ୍କ ପ୍ରତ୍ୟେକ ମ୍ୟାଚ୍ ଦେଖିଥିଲେ । ସଚିନ୍ ସେହି ବିଶ୍ବ କପରେ ୧୧ଟି ମ୍ୟାଚରୁ କରିଥିଲେ ୬୭୩ ରନ୍ । ଯାହା ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା । ତେବେ ୱକେଟ୍ କିପର/ବ୍ୟାଟସମ୍ୟାନ୍ ହୋଇଥିବାରୁ ତାଙ୍କୁ ହଂକଂର ଧୋନି ବୋଲି କୁହାଯାଏ ।

ପ୍ରଥମେ ସେ ଦଳର ଉପଅଧିନାୟକ ଥିଲେ । ତେବେ ପରେ ତାଙ୍କୁ ହଂକଂ ଟିମର ଅଧିନାୟକ ଦାୟିତ୍ବ ଦିଆଯାଇଛି । ବାମହାତୀ ବ୍ୟାଟସମ୍ୟାନ୍ ଅଂଶୁମାନ ୱିକେଟ୍ କିପିଂ ସହିତ ବାମହାତୀ ବୋଲିଂ ବି କରନ୍ତି । ଆମେ ଖୁବ୍ ସଂଘର୍ଷ କରି ଏତେ ଦୂର ଆସିଛୁ ଏବଂ ଏସିଆକପରେ ଖେଳିବାକୁ ସୁଯୋଗ ପାଇବାକୁ ଆମେ ଯୋଗ୍ୟ ବୋଲି ଅଂଶୁମାନ କହିଛନ୍ତି । ତାଙ୍କ ମତରେ ଆମେ ଯେଉଁ ଖେଳାଳିମାନଙ୍କୁ ଦେଖି ଖେଳ ଶିଖିଛୁ, ଯେଉଁମାନେ ଆମ ଆଦର୍ଶ ସେମାନଙ୍କ ସହ ଖେଳିବୁ । ତେଣୁ ବହୁତ ଉତ୍ସାହିତ ଅଛୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.