ମରିଗଲା ମାନବିକତା, ଦିନ ୧୦ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଅଟୋ ଭିତରେ ପଡ଼ି ରହିଲା ମୃତଦେହ

ଗଞ୍ଜାମ : ମରିଗଲା ମାନବିକତା । ଅଟୋ ଭିତରେ ଆଠଘଣ୍ଟା ପଡ଼ି ରହିଲା ମୃତଦେହ । ହେଲେ କରୋନା ସନ୍ଦେହରେ ଅଟୋରୁ ମୃତଦେହ ବାହାର କରିବାକୁ କେହି ଆସିଲେନି । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ କିଛି ସଂପର୍କୀୟ ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପଞ୍ଚଭୂତି ପଞ୍ଚାୟତର ପଞ୍ଚଭୂତି ଗାଁରେ । ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି ।

ପଞ୍ଚଭୂତି ଗୌଡ଼ସାହିର ଗଣେଶ ଶତପଥୀଙ୍କ ଦେହ ହଠାତ୍‌ ଅସୁସ୍ଥ ହେବାରୁ ତାଙ୍କୁ ପତ୍ନୀ ଏକ ଅଟୋରେ ନେଇ ଜଗନ୍ନାଥପ୍ରସାଦ ମେଡିକାଲକୁ ଯାଇଥିଲେ । ସେଠାରେ ଡାକ୍ତର ଗଣେଶଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଅଟୋରେ ମୃତଦେହ ଧରି ଗାଁକୁ ଫେରିଥିଲେ ପତ୍ନୀ । ଗାଁ ଦାଣ୍ଡରେ ଦିନ ୧୦ଟାରୁ ସଂଧ୍ୟା ପର୍ଯ୍ୟନ୍ତ ମୃତଦେହ ଅଟୋରେ ରହିଥିଲା । ହେଲେ କରୋନା ସନ୍ଦେହରେ କେହି ମୃତଦେହ ବାହାର କରିବା କିମ୍ବା ଶବ ସତ୍କାର ପାଇଁ ଆସି ନଥିଲେ । ଏନେଇ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଗୋକୁଳ ଚନ୍ଦ୍ର ଦୋରା ବ୍ଲକ ପ୍ରଶାସନକୁ ଖବର ଦେଇଥିଲେ । ଏଥିସହ ମୃତ ଗଣେଶ ଶତପଥୀଙ୍କ ପୁଅ, ଝିଅ ଓ ସଂପର୍କୀୟଙ୍କୁ ଜଣାଇଥିଲେ । ସମସ୍ତ ସଂପର୍କୀୟ ଝାରସୁଗୁଡ଼ା ଓ ଦୂରଦୂରାନ୍ତରେ ରହୁଥିବାରୁ ସେମାନେ ସଂଧ୍ୟାରେ ପହଞ୍ଚିଥିଲେ । ସେମାନେ ପହଞ୍ଚିବା ପରେ ସଂଧ୍ୟା ୭ଟାରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.