ସ୍ତ୍ରୀକୁ ମାଡ଼ ମାରି ଜିଅନ୍ତା ପୋତିଦେଲା ପିଶାଚ ସ୍ୱାମୀ, ସଙ୍କଟାପନ୍ନ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

କାମାକ୍ଷାନଗର(କେନ୍ଯୁଜ୍): ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ । ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ସହ ଜିଅନ୍ତା ପୋତିଦେଲା । ଏ ଭଳି ଲୋମ ଟାଙ୍ଗୁରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶୀତଳବସା ଗାଁରେ । ଗାଁର ରଞ୍ଜନ ସାହୁ ନିଜ ୨୩ ବର୍ଷୀୟା ସ୍ତ୍ରୀ ସୁକାନ୍ତି ସାହୁଙ୍କୁ ମାଡ଼ ମାରିବା ସହ ଲହୁଲୁହାଣ କରି ଜିଅନ୍ତା ପୋତି ଦେବା ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୁକାନ୍ତିଙ୍କୁ ତାଙ୍କ ପରିବାର ଲୋକେ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି।

ସୂଚନା ଅନୁଯାୟୀ ,ଶୀତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି , ସେହି ଗାଁର ରଞ୍ଜନ ସାହୁଙ୍କୁ ଆଜକୁ ଦୁଇ ବର୍ଷ ତଳେ ବିବାହ କରିଥିଲେ । ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଯୌତୁକ ଜନିତ ସମସ୍ୟାକୁ ନେଇ ବାରମ୍ବାର କଳହ ଲାଗି ରହୁଥିଲା । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ସମାଧାନ ମଧ୍ୟ ହୋଇଥିଲା । ତେବେ ଏହାକୁ ନେଇ ଆଜି ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉଗ୍ରରୂପ ଧାରଣ କରିଥିଲା । ଯାହାକୁ ନେଇ ସ୍ୱାମୀ ରଞ୍ଜନ ସ୍ତ୍ରୀ ସୁକାନ୍ତିଙ୍କୁ ଲହୁଲୁହାଣ କରି ଘର ବାଡ଼ିରେ ଥିବା ଏକ ଗାତରେ ପକେଇ ଦେଇଥିଲା ।

ଖବର ପାଇ ସୁକାନ୍ତିଙ୍କ ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏ ନେଇ ଥାନାରେ ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ମେଡ଼ିକାଲରେ ପହଞ୍ଚି ସୁକାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ଘଟଣାଟିକୁ ଗୁରୁତ୍ବର ସହ ନେଇ ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.