ରାଜ୍ୟରେ ଅସମ୍ଭାଳ ତାତି : ୪୩.୦୮ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ, ଭୁବନେଶ୍ୱର ୪୧.୪

ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସ୍ତବ୍ୟସ୍ତ ଜନଜୀବନ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।

ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସ୍ତବ୍ୟସ୍ତ ଜନଜୀବନ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟରୁ ଶୁଷ୍କ ବାୟୁ ପ୍ରବାହ ଓ ପ୍ରଖର ସୂର୍ଯ୍ୟକିରଣ ପାଇଁ ତାପମାତ୍ରା ବୃଦ୍ଧି ପାଇଛି।

ଆଗାମୀ ୩ଦିନ ଯାଏ ଏଥିରୁ ନିସ୍ତାର ନାହିଁ। ଆସନ୍ତା ୨ରୁ ୩ଦିନ ଯାଏ କିଛି ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୫ଡିଗ୍ରୀ ଅଧିକ ରେକର୍ଡ ହେବା ନେଇ ଭୁବନେଶ୍ବର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ। ୨୧ ତାରିଖ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

୪୩.୦୮ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର। ସମ୍ୱଲପୁରର ତାପମାତ୍ରା ୪୨.୪ ଡିଗ୍ରୀ ଥିବା ବେଳେ କେନ୍ଦୁଝରର ତାପମାତ୍ରା ୪୨.୦୨ ଡିଗ୍ରୀ ସେଲସିୟସ ରହିଛି। ସେହିପରି ଚାନ୍ଦବାଲିରେ ପାରଦ ୪୨.୦୨ ଡିଗ୍ରୀ ଥିବା ବେଳେ ହୀରାକୁଦରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରହିଛି।

ଆଗାମୀ ୨୪ ଘଣ୍ଟାରେ ଭୀଷଣ ଗ୍ରୀଷ୍ମଲହରୀ ନେଇ ୬ ଜିଲ୍ଲା ଓ ଗ୍ରୀଷ୍ମଲହରୀ ନେଇ ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ଭୀଷଣ ଗ୍ରୀଷ୍ମଲହରୀ ନେଇ ୪ ଜିଲ୍ଲା ଓ ଗ୍ରୀଷ୍ମଲହରୀ ପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ୨୧ ଓ ୨୨ ତାରିଖରେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୨୧ରେ ଉତ୍ତର ଆଭ୍ୟନ୍ତରଣ ଓଡ଼ିଶା ଓ ୨୨ରେ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଦୁଇ ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇବ । ତେବେ ୨୫ରୁ ପୁଣି ତାପମାତ୍ରା ବଢ଼ିବ । କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି ।

You might also like