ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ବିବାହିତା ଝିଅକୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରାଯାଇ ପାରିବ ନାହିଁ

କଟକ(କେନ୍ୟୁଜ୍): ମୃତ କର୍ମଚାରୀଙ୍କ ବିବାହିତା ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ବିବାହ କରିଥିବା କାରଣରୁ ଜଣେ ଝିଅକୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ବିବାହିତା ଝିଅଙ୍କ ନାଁ ବିଚାରକୁ ନିଆ ନ ଯିବା ନୀତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବାସନ୍ତୀ ନାୟକଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଆବେଦନକାରିଣୀଙ୍କ ବାପା ପ୍ରାଥମିକ ସ୍କୁଲ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଚାକିରିରେ ଥିବା ବେଳେ ଆବେଦନକାରିଣୀଙ୍କ ବାପା ୨୦୦୧ ଫେବ୍ରୁଆରି ୨୩ରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ତାଙ୍କର ଦୁଇ ଝିଅ ଭିତରୁ ଯୁକ୍ତି ଦୁଇ ପାସ କରିଥିବା ତଥା ବିବାହ କରି ସାରିଥିବା ଆବେଦନକାରିଣୀ ବାପାଙ୍କ ଚାକିରିରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଦରଖାସ୍ତ କରିଥିଲେ । କ୍ଲାସ-୩ ନନ୍-ଟିଚିଂ କର୍ମଚାରୀ ଭାବେ ନିଯୁକ୍ତି ପାଇଁ ସେ ଦରଖାସ୍ତ କରିଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ପ୍ରକାଶିତ ତାଲିକାରେ ଆବେଦନକାରିଣୀଙ୍କ ନାଁ ସ୍ଥାନ ପାଇଥିଲା ।
୨୦୦୭ ଜୁନ ୧ରେ ଭଦ୍ରକ ସର୍କଲ ସ୍କୁଲ ଇନ୍ସପେକ୍ଟର ତାଙ୍କ ପ୍ରମାଣପତ୍ର ଯାଞ୍ଚ ପରେ ପ୍ରକାଶିତ ତାଲିକାରେ ମଧ୍ୟ ଆବେଦନକାରିଣୀଙ୍କ ନାଁ ରହିଥିଲା । କିନ୍ତୁ ଆବେଦନକାରିଣୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳି ନଥିଲା । ଏ ସଂପର୍କିତ ଆବେଦନକାରିଣୀଙ୍କ ଦରଖାସ୍ତକୁ ସ୍କୁଲ ଇନ୍ସପେକ୍ଟର ୨୦୦୮ ଏପ୍ରିଲ ୮ରେ ଖାରଜ କରିଥିଲେ । ଆବେଦନକାରିଣୀ ବିବାହିତା ଝିଅ ହୋଇଥିବାରୁ ତାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ ନାହଁ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା । ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।