ଜଗତସିଂହପୁର(କେନ୍ୟୁଜ୍): ୧୯୯୯ ମସିହା ଅକ୍ଟୋବର ୨୯। ସକାଳୁ ସକାଳୁ ପବନର ଗତି ବଢ଼ିଲା। ଘୁ ଘୁ ଗର୍ଜନରେ ଆରମ୍ଭ ହେଲା ମହାବାତ୍ୟାର ତାଣ୍ଡବ। କଚ୍ଚା ଘର ସବୁ ମାଟିରେ ମିଶିଗଲା। ସମୁଦ୍ର ପାଣି ଗୋଟେ ପରେ ଗୋଟେ ଗାଁକୁ ଭସାଇ ନେଲା। ଲୋକଙ୍କୁ ରେଡିଓରେ ମିଳିଥିଲା ବାତ୍ୟା ସୂଚନା। କିନ୍ତୁ ବାତ୍ୟା କେତେ ପ୍ରଳୟଙ୍କରି ହେବ ତାହା ଜାଣି ପାରିନଥିଲେ।
କିଏ ଗଛ ଉପରେ ତ କିଏ ଘର ଚାଳ ଉପରେ ରହି ଭାସିଲେ। କେଉଁଠି ବାପା ହାତରୁ ମା ଓ ପିଲାମାନେ ଭାସିଗଲେ ତ, କେଉଁଠି ସ୍ତ୍ରୀ ସାମ୍ନାରେ ସ୍ୱାମୀ ଭାସିଗଲା। ଉଜୁଡି ଗଲା ସୁନାର ସଂସାର। କେହି କିଛି ଭାବିବା ପୂର୍ବରୁ ସବୁ ନିଶ୍ଚିହ୍ନ ହୋଇଗଲା। ସବୁଠାରୁ ଅଧିକ କ୍ଷତି ସହିଥିଲା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ।
ବ୍ଲକର ଗଡବିସନପୁର ପଞ୍ଚାୟତର ଖଟିଗଦାର ନଳଭେଡି ଗାଁ। ମହାବାତ୍ୟାରେ ଗାଁରେ ୨୮୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମୂଳପୋଚ୍ଛ ହୋଇଗଲା ୧୦ଟି ପରିବାର। ଆଉ ୧୦ଟି ପରିବାର ୬ ମହିଳା ଓ ୪ ଜଣ ଶିଶୁ ବଞ୍ଚିଗଲେ। ୨୩ ବର୍ଷ ବିତାଲାଣି। ମହିଳାଙ୍କ ବୟସ ବଢିଛି, ପିଲା ବଡ ହେଲେଣି। କିନ୍ତୁ ମନର କ୍ଷତ ଚିହ୍ନ ଲିଭି ନାହିଁ।
ବାତ୍ୟାକୁ ୨୩ ବର୍ଷ ପୂରିଛି। ପଞ୍ଚାୟତର କେତେକ ଗାଁକୁ କିଛି ରାସ୍ତା ହୋଇଛି। କିଛି ଲୋକଙ୍କୁ ଘର ମିଳିଛି। କେହି ମୂଳରୁ ଘର ପାଇନାହାନ୍ତି। ମହାବାତ୍ୟା ପରେ ଏକ ଏନ୍ଜିଓ କିଛି ଲୋକଙ୍କ ପାଇଁ ଘର ତିଆରି କରିଥିଲା। ତାହା ଏବେ ଜରାଜୀର୍ଣ୍ଣ। ଲୋକମାନେ ପୁଣି ସେହି ମାଟି ଘରେ ରହିଲେଣି। କିନ୍ତୁ ସରକାରଙ୍କ ବହୁମୁଖୀ ଯୋଜନାରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇ ସାରିଛି। ବାତ୍ୟା ଆସିଲେ ଭୟ ଆସୁଛି , କିନ୍ତୁ ଆଉ ଜୀବନ ପ୍ରତି ବିପଦ କମିଯାଇଛି।
ମହାବାତ୍ୟାରୁ ବାଦ୍ ପଡି ନଥିଲା ବନ୍ଦର ନଗରୀ ପାରାଦୀପ। ବିଶେଷ ଭାବେ ପ୍ରଭାବିତ ହୋଇଥିଲା ଷଣ୍ଢକୁଦ ବସ୍ତିଅଂଚଳ। ସମୁଦ୍ର କୂଳରୁ ମାତ୍ର ୨୦୦ ମିଟର ଦୂରରେ ଏହି ବସ୍ତି। ଅନେକ ଲୋକ ଏହି ବସ୍ତିରୁ ସମୁଦ୍ର ଢେଉରେ ଭାସିଯାଇଥିଲେ। ଅନେକ ଘର ସମୁଦ୍ରରେ ଲିନ ହୋଇଥିଲା। କେହି କେହି ଢିପ ସ୍ଥାନରେ ରହି କିମ୍ବା ଗଛ ଚଢି ଜୀବନକୁ ବଂଚାଇ ପାରିଥିଲେ।
ମହାବାତ୍ୟା ସମୟରେ ଲୋକେ ଆଗୁଆ ସୂଚନା ଠିକ୍ରେ ପାଇ ପାରି ନଥିଲେ। ଏବେ ସମୟ ବଦଳିଛି। ବାତ୍ୟା ଆସିଲେ ଆଗୁଆ ସୂଚନା ମିଳୁଛି। ଜିଲ୍ଲା ପ୍ରଶାସନ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତର କରି ଥଇଥାନ କରଛନ୍ତି। ବାତ୍ୟା ଆଶଙ୍କା ଥିଲେ ତୁରନ୍ତ ମୁତୟନ ହେଉଛନ୍ତି ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗର ଟିମ୍। ଲୋକମାନଙ୍କ ଜୀବନକୁନ ସୁରକ୍ଷିତ ରଖାଯାଇ ପାରୁଛି।
ମହାବାତ୍ୟାକୁ ପୂରିଛି ୨୩ ବର୍ଷ। ଏ ଭିତରେ ଫାଇଲିନ, ହୁଡହୁଡ, ତିତିଲି, ଫନି, ଅମ୍ଫନ, ୟସ, ଗୁଲାବ ଆସିଛି। ବାତ୍ୟାକୁ ନେଇ ଲୋକେ ଆଗୁଆ ସୂଚନା ପାଉଛନ୍ତି। ଲୋକେ ସତର୍କ ହେଉଛନ୍ତି। ଯୁଗ ବଦଳିଛି। ଆଧୁନିକ ଜ୍ଞାନକୌଶଳରୁ ଜଣା ପଡୁଛି ବାତ୍ୟାର ଗତିପଥ। ଆଗଭଳି ଆଉ ଜୀବନ ପ୍ରତି ଭୟ ନାହିଁ। କିନ୍ତୁ ପଛକଥା ଭାବିଲା ବେଳକୁ ରୋମ ଟାଙ୍କୁରି ଉଠୁଛି।