ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର: ଟ୍ରକ୍‌ରେ ବୁହା ହେଲା ଟଙ୍କା

ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର । ଟଙ୍କାର ପାହାଡ଼ । ଦୁଇଟି ଷ୍ଟିଲ୍ ଆଲମିରା ଫୁଲ୍ । ୫୦୦ ଟଙ୍କିଆ ବିଡା ଦେଖି ଆୟକର ଅଧିକାରୀ ଟେରା ।

ଭୁବନେଶ୍ବର (କେନ୍ୟୁଜ): ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର । ଟଙ୍କାର ପାହାଡ଼ । ଦୁଇଟି ଷ୍ଟିଲ୍ ଆଲମିରା ଫୁଲ୍ । ୫୦୦ ଟଙ୍କିଆ ବିଡା ଦେଖି ଆୟକର ଅଧିକାରୀ ଟେରା । ଟିକସ ଫାଙ୍କି ଅଭିଯୋଗରେ ମଦ ଓ ସ୍ପିରିଟ ପ୍ରସ୍ତୁତକାରୀ କଂପାନୀ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ରେଡ୍ କରିଛି ଆୟକର ବିଭାଗ । ଏଯାଏ ଦେଢ଼ଶହ କୋଟି ଗଣା ସରିଲାଣି । ଆଗକୁ ୩୦୦ କୋଟି ଟପିଯିବ ବୋଲି ଅନୁମାନ କରୁଛନ୍ତି ଆଇଟି ଅଧିକାରୀ । ଏତେ ଟଙ୍କା ଯେ ଟ୍ରକରେ ନେବାକୁ ପଡିଥିଲା। ମଦ ବ୍ୟବସାୟୀ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ରେଡ୍ କରୁଛି ଆୟକର ବିଭାଗ ।

ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼, ଭୁବନେଶ୍ବର ସମେତ କୋଲକାତା ଓ ରାଞ୍ଚିର ୨୫ଟି ସ୍ଥାନରେ ମିଳିଛି ପୁଳା ପୁଳା ଟଙ୍କା । ଗତକାଲି ୨ଟି ଆଲମାରୀ ଭର୍ତ୍ତି ଟଙ୍କା ଜବତ ହୋଇଥିଲା। ଏତେ ଟଙ୍କା ଦେଖି ଆୟକର ଅଧିକାରୀ ଟେରା । ରେଡ ବେଳେ ଧୀରଜ ସାହୁଙ୍କ ରୋଜଗାର ଉତ୍ସ ଓ ଦେଣନେଣ ନେଟୱର୍କ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସଂଗ୍ରହ କରିଛନ୍ତି ଅଧିକାରୀ । ଛତିଶଗଡ଼ ନିର୍ବାଚନରେ ଅନେକ ନେତାଙ୍କ ପାଖକୁ ଟଙ୍କା ଯାଇଥିବା ସୁରାକ ମିଳିଛି।

ଏଥିସହିତ କିଛି ନେତାଙ୍କ ଛାତିରେ ଛନକା ପଶିଲାଣି। ତଦନ୍ତ ବେଳେ ଆଉ ଏକ ଦିଗ ମଧ୍ୟ ପଦାକୁ ଆସିଛି। ଅନେକ ବର୍ଷ ହେବ ସଂସ୍ଥାର ମାଲିକ ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ ନିଜ ମଦସାମ୍ରାଜ୍ୟ ବିସ୍ତାର କରିଥିଲେ। ପ୍ରଥମେ ଶିବଗଙ୍ଗା ଆଣ୍ଡ କମ୍ପାନିଜ୍‌ ନାମରେ ସଂସ୍ଥା ଆରମ୍ଭ ହୋଇଥିଲା। ପରେ ଫର୍ଚୁନ୍‌ ସ୍ପିରିଟ୍‌ ନାମରେ ଆଉ ଏକ ସଂସ୍ଥା ଖୋଲା ଯାଇଥିଲା। ସେହି ଫର୍ଚୁନ ସ୍ପିରିଟ୍‌ ନାମରେ କୋଟି କୋଟି ଟଙ୍କାର ଋଣ କରାଯାଇଥିଲା। ସଂସ୍ଥା କ୍ଷତି କରିଥିବା ଦର୍ଶାଯାଇ ଟଙ୍କା ହେର୍‌ଫେର୍‌ କରାଯାଇଥିଲା। ଆଉ ଏହାପରେ ସଂସ୍ଥାର ୫ ମୂଳ ମାଲିକ ଓ ସେମାନଙ୍କର ୭ପୁଅଙ୍କ ନାମରେ ବୌଦ୍ଧ ଡିଷ୍ଟିଲାରି (ବିଡିପିଏଲ୍‌), ରାଣୀସତୀ ପ୍ୟାଡି ପ୍ରୋସେସିଂ ଭଳି ଭିନ୍ନ ଭିନ୍ନ ନାମରେ ସଂସ୍ଥା ଖୋଲାଯାଇ କୋଟି କୋଟି ଟଙ୍କାର ଅୟକର ଫାଙ୍କି କରାଯାଇଥିଲା। ଏବେ ସେହି କଳା ସାମ୍ରାଜ୍ୟର ଗୁମର ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି।

Leave A Reply

Your email address will not be published.