ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମହିଳାଙ୍କୁ ମଜଭୁତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ

କେନ୍ୟୁଜ୍(ବ୍ୟୁରୋ): ମହିଳାଙ୍କୁ ମଜଭୁତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ରାଜ୍ୟରେ ୬ ଲକ୍ଷ SHG କାମ କରୁଛନ୍ତି । ବିନା ସୁଧରେ SHGଙ୍କୁ ୫ ଲକ୍ଷ ଟଙ୍କା ଋଣ ଦେବାକୁ ଘୋଷଣା କରିଛୁ । ଏହାଦ୍ୱାରା ଓଡ଼ିଶାର ମାଆ ମାନେ ଉପକୃତ ହେଉଛନ୍ତି । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ମିଶନ ଶକ୍ତି ମାଆ ମାନଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଞ୍ଚ ବର୍ଷରେ ୫ହଜାର କୋଟି ଟଙ୍କାର କାମ ମାଆମାନଙ୍କୁ ଦେବା ପାଇଁ ଓଡ଼ିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଏହାଦ୍ୱାରା ଲକ୍ଷ ଲକ୍ଷ ଏସଏଚଜି ଉପକାର ପାଉଛନ୍ତି । ଏହାସହ ମିଶନ ଶକ୍ତି ପାଇଁ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଓ ଅଫିସ ଘର କରାଯିବ ।

ମହିଳା ଉଦ୍ୟୋଗୀଙ୍କ ପାଇଁ ଶିଳ୍ପ ପାର୍କ ସ୍ଥାପନ ହେବ । ପ୍ରତି ଜିଲ୍ଲା ମିଶନ ଶକ୍ତି ଫେଡେରେସନକୁ କୋଟିଏ ଟଙ୍କାର ପାଣ୍ଠି ଦିଆଯିବ । ପ୍ରତି ବ୍ଲକ ଫେଡରେସନକୁ ମିଳିବ ୫୦ଲକ୍ଷ ଟଙ୍କା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ଏକ କଫି ଟେବୁଲ ବୁକ୍‌ ଉନ୍ମୋଚନ କରିଥିଲେ । ଏହାସହ ଏସଏଚଜି ସଦସ୍ୟ ଓ ଏସଏଚଜିଙ୍କୁ ଋଣ ଦେବାରେ ଭଲ କାମ କରିଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ ।

ସେପଟେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି, ମା’ମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଆମର ଲକ୍ଷ୍ୟ । କ୍ଲିନ୍‌ ଶୁଖୁଆ ଉତ୍ପାଦନ ବଜାର ବ୍ୟବସ୍ଥା ପାଇଁ ହେବ MOU । ‘୫ଟି ସଂସ୍ଥା ସହ ଆମର MOU ସ୍ୱାକ୍ଷରିତ ହୋଇଛି। ଆଉ ୩ଟି MOU ସପ୍ତାହେ ବା ୨ ସପ୍ତାହ ମଧ୍ୟରେ ହେବ । ମହିଳା କେବଳ ରୋଷେଇ ଘରେ ସୀମିତ ହୋଇ ରହିବେ ନାହିଁ । ପ୍ରତ୍ୟେକ ମହିଳାଙ୍କର ଗୋଟିଏ ସ୍ୱତନ୍ତ୍ର ପରିଚୟ ରହିବ । ସବୁ ମା’ଙ୍କର ପରିଚୟ ରହିବ ଓ ସମ୍ମାନ ମିଳିବ । ମା’ଙ୍କୁ ସମ୍ମାନ ହେଉଛି ମିଶନ ଶକ୍ତିର ଆଭିମୁଖ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.