ଗ୍ୟାଙ୍ଗ୍ ଓ୍ଵାର୍ରେ ଥରିଲା ସୀକର ଜିଲ୍ଳା, ଗ୍ୟାଙ୍ଗ୍ଷ୍ଟାର ରାଜୁ ଠେଠ୍ଙ୍କୁ ଗୁଳିକରି ହତ୍ୟା

କେନ୍ୟୁଜ୍ ବ୍ୟୁରୋ: ରାଜସ୍ଥାନର ସୀକର ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଗ୍ୟାଙ୍ଗଷ୍ଟରଙ୍କ ଅରାଜକତା । ଦିନ ଦ୍ୱିପ୍ରହରରେ ଚାଲିଛି ମର୍ଡର । ଆଇନ କାନୁନକୁ ତିଳେ ମାତ୍ର ଡର ନାହିଁ କି ପୋଲିସ ପ୍ରଶାସନକୁ ଖାତିର ନାହିଁ । ଶନିବାର ଦିନ ସକାଳେ ରାଜସ୍ଥାନର ସୀକର ଜିଲ୍ଲାରେ ଗ୍ୟାଙ୍ଗ୍ ଓ୍ଵାର ହୋଇଛି । ଦୁଇଟି ଗ୍ୟାଙ୍ଗ୍ ଭିତରେ ପୂର୍ବ ଶତ୍ରୁତାକୁ ନେଇ ତୁମୂଳ ହିଂସାକାଣ୍ଡ ଘଟି ଯାଇଛି । ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ରାଜୁ ଠେଠ୍କୁ ତାଙ୍କ ଘର ପାଖରେ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାଟି ରାଜସ୍ଥାନର ସୀକର ଜିଲ୍ଲାର ଉଦ୍ୟୋଗ ନଗରରେ ଘଟିଛି ।
ସୂଚନା ଅନୁସାରେ, ରାଜୁ ଠେଠ୍ର ଶତ୍ରୁତା ଆନନ୍ଦପାଳ ଗ୍ୟାଙ୍ଗ୍ ସହିତ ଥିଲା । କିନ୍ତୁ ଏବେ ଆନନ୍ଦପାଳ ଗ୍ୟାଙ୍ଗ୍ ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ମିଶି କାମ କରୁଥିବାରୁ ଏହି ଦୁଇ ଗ୍ୟାଙ୍ଗ ମିଶି ଏହି ହତ୍ୟା କରିଥିବା ନେଇ ସୂଚନା ମିଳୁଛି । ଅନ୍ୟ ପଟେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ରୋହିତ ଗୋଦାରା ରାଜୁ ଠେଠ୍ର ହତ୍ୟା କରିଛି ବୋଲି କହିଛି । ସେ ଆହୁରି ମଧ୍ୟ କହିଛି ଏହି ହତ୍ୟା କରି ଆନନ୍ଦ ପାଳ ଏବଂ ବଲବୀରର ବଦଲା ନେଇଛି ବୋଲି ସ୍ୱୀକାର କରିଛି । ରୋହିତ ଗୋଦାରା ନାମକ ଏକ ଫେସ୍ ବୁକ୍ ଆଇଡିରୁ ଏହି ହତ୍ୟାର ସେ ନିଜକୁ ଦାୟୀ କରିଛି ।
ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ଭିଡିଓ :
ବର୍ତ୍ତମାନ ଏହି ହତ୍ୟକାଣ୍ଡର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଅପରାଧୀମାନେ ଖୁଲମଖୁଲା ଫାଇରିଙ୍ଗ୍ କରୁଛନ୍ତି । ଚାରି ଜଣ ଅଭିଯୁକ୍ତ ଏହି ଭିଡିଓରେ ନଜର ଆସୁଛନ୍ତି ଏବଂ ସମସ୍ତଙ୍କ ହାତରେ ହତିଆର ଥିବା ଦେଖାଯାଉଛି । ଅପରାଧୀମାନେ ଯେତେ ବେଳେ ରାଜୁଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଛନ୍ତି, ସେତେ ବେଳେ ଆଖ ପାଖରେ ଥିବା ଲୋକମାନେ ହୋ ହାଲ୍ଲା କରି ଏଣେ ତେଣେ ଦଉଡ଼ୁଛନ୍ତି । ଦୁର୍ବୃତ୍ତମାନେ ରାଜୁ ଠେଠ୍ଙ୍କୁ ହତ୍ୟା କରିବା ପରେ ଆରାମରେ ଚାଲି ଯାଇଛନ୍ତି ।
ଏହି ହତ୍ୟାକାଣ୍ଡରେ ନିଜକୁ ଦାୟୀ କରୁଥିବା ରୋହିତ ଗୋଦାରା,ଅଜରବେଜାନରୁ ଲରେନ୍ସ ଏବଂ ଗୋଲ୍ଡି କ୍ରାଇମ କମ୍ପାନିକୁ ଅପରେଟ୍ କରୁଛି । ରୋହିତ ବିରୋଧରେ ଭାରତରେ ଅପରାଧିକ ମାମଲା ଥିବା ସତ୍ତ୍ୱେ ସେ ଫେରାର ଅଛି । ରୋହିତ ଗ୍ୟାଙ୍ଗ୍ଷ୍ଟାର ଦୀପକ ଟିନୁକୁ ସେ ଅପରାଧିକ ମାମଲାରେ ସହଯୋଗ କରିଥିବାର ଖବର ମଧ୍ୟ ରହିଛି । ଏହି ଅପରାଧ ଯୋଗୁ ରୋହିତ ଅଜାରବେଜାନରେ ରହି କ୍ରାଇମ୍ କମ୍ପାନିକୁ ଅପରେଟ୍ କରୁଛି ।
ରାଜୁ ଠେଠ୍କୁ ହତ୍ୟା ପାଇଁ ୧୦ ବର୍ଷର ଷଢ଼ଯନ୍ତ୍ର:
ଦିଲ୍ଲୀ ପୋଲିସ୍ର ଏକ ସ୍ପେସିଆଲ ସେଲର ସୂଚନାରେ କୁହାଯାଇଛି, ଯେ ରାଜୁ ଠେଠ୍କୁ ମାରିବା ପାଇଁ ୧୦ ବର୍ଷ ହେଲାଣି ଷଢ଼ଯନ୍ତ୍ର ହେଉଥିଲା। ଏହି ସୁଚିନ୍ତିତ ଷଢ଼ଯନ୍ତ୍ରରେ ଆନନ୍ଦପାଳ ଗ୍ୟାଙ୍ଗ୍, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଏବଂ ଜଠେଡ଼ୀ ଗ୍ୟାଙ୍ଗ୍ର ଶୁଟରମାନେ ଯୁଯୋଗ ଖୋଜୁଥିଲେ । ତେବେ କୁହାଯା ପାରେ ଯେ, ରାଜୁ ଠେଠ୍ ଅନେକ ଦିନ ହେଲାଣି ଏହି ୩ଟି ଗ୍ୟାଙ୍ଗର ଶୁଟରମାନଙ୍କ ଚକ୍ର ବ୍ୟୁହରେ ଫସି ରହିଥିଲେ ଖାଲି ଏହି ଅପରାଧୀମାନଙ୍କୁ ସୁଯୋଗ ଦରକାର ଥିଲା ଯାହା ଆଜି ସେମାନଙ୍କୁ ମିଳିଗଲା । ଯିଏ ରାଜୁଙ୍କୁ ପ୍ରତ୍ୟକ୍ଷ ଭାବେ ହତ୍ୟା କରିଛି ସେ ହେଉଛି ହରିୟାଣାର ଶୁଟର ଗ୍ୟାଙ୍ଗ୍ଷ୍ଟାର ଅଙ୍କିତ୍ ଭାଦୁ ବୋଲି କୁହା ଯାଉଛି । ଏହି ହତ୍ୟାକାଣ୍ଡରେ ଚେର ରାଜସ୍ଥାନ ଏବଂ ହରିୟାଣାକୁ ମାଡ଼ିଛି ବୋଲି କୁହାଯାଉଛି ।