ପୁରୀ ଓ ଲିଙ୍ଗରାଜ ଭଳି ଏବେ ବଦଳିବ କୋଣାର୍କ ମନ୍ଦିର ପରିସରର ରୂପ, ସାଢ଼େ ତିନି କିଲୋମିଟର ଯାଏଁ ହେବ ୬ ଥାକିଆ ରୋଡ

କେନ୍ୟୁଜ୍(ବ୍ୟୁରୋ):  ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି।

କୋଣାର୍କକୁ ପ୍ରତି ଦିନ ବିଶ୍ବ ର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି କାର୍ଯ୍ୟକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।  ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଏକ ଉପସ୍ଥାପନା କରାଯାଇଥିଲା । ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ  ମତାମତ ୨୧ ଦିନ ଭିତରେ ଦେଇ ପାରିବେ ।

କଳିଙ୍ଗ  ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର । ଗଙ୍ଗ ବଂଶର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କର ତ୍ରୟୋଦଶ ଶତାବ୍ଦୀର  ଏହି ଅନୁପମ କୀର୍ତ୍ତି ତାର ଅବିଶ୍ବସନୀୟ କଳା ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ବର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରି ଆସିଛି । ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ମନ୍ଦିର ର ମୁଖ୍ୟ  ଅଂଶ ଭାଙ୍ଗି ଯାଇଥିଲେ ମଧ୍ୟ ମୁଖଶାଳାର ଶୋଭା ଓଡିଶାର କାରିଗର ଓ ଶିଳ୍ପୀମାନଙ୍କର ଦକ୍ଷତାର ଜୟଗାନ କରି ଆସୁଛି ।

ଏହି ମନ୍ଦିର ତତ୍କାଳୀନ ଓଡିଶାର ସଂପନ୍ନତା ବିଷୟରେ ସୂଚିତ କରିଥାଏ। ମନ୍ଦିର ଗାତ୍ରରେ  ଜିରାଫର ଚିତ୍ର ଆଫ୍ରିକୀୟ ଦେଶମାନଙ୍କ ସହିତ ତତ୍କାଳୀନ ଓଡ଼ିଶାର ସଂପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥାଏ । ୧୯୮୪ ମସିହାରେ UNESCO କୋଣାର୍କକୁ ବିଶ୍ବ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି । ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ବ । ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକମାନଙ୍କୁ  ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି ।

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ। କୋଣାର୍କ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ବିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ସାଢ଼େ ତିନି କିଲୋମିଟର ବାହ୍ୟ ରିଂଗ ରୋଡକୁ ଛଅ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ । ଯାତ୍ରୀଙ୍କୁ ନେବାଆଣିବା ପାଇଁ  ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପଏଣ୍ଟର ବିକାଶ କରାଯିବ । ଫେରିବାଲାମାନଙ୍କୁ ପୁନଃ ଥଇଥାନ କରାଯିବ। ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ landscaping କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.