Below header

ସବଜେଲରେ କଏଦୀଙ୍କୁ କରୋନା, କ୍ଵାରେଣ୍ଟିନକୁ ଗଲେ ଜେଲ ସୁପରିଟେଣ୍ଡେଣ୍ଟଙ୍କ ସହ ସମସ୍ତ କର୍ମଚାରୀ

ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଆଜି ବାଣପୁରରେ ଆଉ ଏକ ଜଟିଳ ପରିସ୍ଥିତି ଦେଖାଦେଇଛି। ବାଣପୁର ସବଜେଲକୁ ମଧ୍ୟ ଛୁଇଁଛି କରୋନା ଭୂତାଣୁ। ଜଣେ ବିଚାରାଧୀନ କଏଦୀଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି । ଜେଲରେ ଥିବା ବେଳେ କଏଦୀମାନଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା । ହେଲେ କଏଦୀ ଜଣକ ଜାମିନୀ ପାଇ ନିଜ ଘରକୁ ଗଲାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଚାରାଧୀନ କଏଦୀ ଜଣକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ବୋଲି ଜେଲ ସୁପରିଟେଣ୍ଡେଣ୍ଟ କୋଶଳପଦ୍ମିନୀ ଦଳବେହେରା କହିଛନ୍ତି।

ଆକ୍ରାନ୍ତ ଜଣଙ୍କ ରହୁଥିବା ସେଲରେ ଆଉ ଅନ୍ୟ ୮ ଜଣ କଏଦୀଙ୍କୁ କ୍ଵାରେଣ୍ଟିନରେ ରଖିବା ସହ ଜେଲ ସୁପରିଟେଣ୍ଡେଣ୍ଟ, ଫାର୍ମାସିଷ୍ଟ ଏବଂ ସମସ୍ତ କର୍ମଚାରୀମାନେ ଏବେ ହୋମକ୍ୱାରେଣ୍ଟାଇନରେ ଅଛନ୍ତି। ଆଜି ଜେଲ ପରିସରରେ ଥିବା ସମସ୍ତଙ୍କ ସ୍ୱାବ ଟେଷ୍ଟ ହେବ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରପକ୍ଷରେ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ସଂପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଇଂଜନପୁର ଟି.ଏମ.ସିରେ କ୍ୱାରେଣ୍ଟାଇନରେ ରଖାଯାଇଛି ଏବଂ ଆଜି ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ପଠାଯିବା ସହ ଅନ୍ୟମାନଙ୍କ ସ୍ୱାବ ଟେଷ୍ଟିଙ୍ଗ କରାଯିବା ବୋଲି ଅଠରବାଟିଆ ସରପଞ୍ଚ ଶ୍ରୀମତୀ ଇନ୍ଦୁ ଜାଲୀ ସୂଚନା ଦେଇଛନ୍ତି।

ତେବେ ବାଣପୁର ସବ ଜେଲରେ ଏହା ପ୍ରଥମ ଘଟଣା ହୋଇଥିବାରୁ ସେଠାରେ ଥିବା ୧୬୬ ଜଣ କଏଦୀ କିପରି ସଂକ୍ରମିତ ନହେବେ ସେଥିପ୍ରତି ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.