କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ ମାନ୍ୟତା, ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ ମାନ୍ୟତା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ସେ କହିଛନ୍ତି, ଭାରତର କେତେକ ଅଗ୍ରଣୀ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ବିଶ୍ୱର ଅନ୍ୟ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ସହ ସମକକ୍ଷ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରୟାସ ଆରମ୍ଭ କରିଥିଲେ । ଏଥିରେ ଦେଶର ଯେଉଁ ସବୁ ଅଗ୍ରଣୀ ଅନୁଷ୍ଠାନ ଅଛନ୍ତି ସେମାନଙ୍କ ମଧ୍ୟରୁ ଯେଉଁମାନେ ଆଗାମୀ ଦିନରେ ଆହୁରି ଉନ୍ନତି କରିପାରିବେ ଏବଂ ବିଶ୍ୱର ଅନ୍ୟ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ସହ ସମକକ୍ଷ ହୋଇପାରିବେ ସେଥିପାଇଁ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏନ୍‌. ଗୋପାଳସ୍ୱାମୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା । ଏଥିରେ ୫ ଜଣ ଶିକ୍ଷାବିତ୍‌ ସଦସ୍ୟ ଥିଲେ ।

 

ଏହି ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ଦେଶରେ ଥିବା ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନକୁ ଦରଖାସ୍ତ ଆହ୍ଵାନ କରାଯାଇଥିଲା । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ୧୦ଟି ଶିକ୍ଷାନୁଷ୍ଠାନ ନାଁ ସୁପାରିଶ କରିଥିଲା । ୫ଟି ସରକାରୀ ଓ ୫ଟି ଘରୋଇ ଅନୁଷ୍ଠାନକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ପୂର୍ବ ଭାରତର ଏକମାତ୍ର ଘରୋଇ ଅନୁଷ୍ଠାନ ଭାବେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ ମାନ୍ୟତା ପାଇବାରେ କିଟ୍‌ ହେଉଛି ଦେଶର ସର୍ବ କନିଷ୍ଠ ଅନୁଷ୍ଠାନ ।ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସରେ ସ୍ଥାନୀତ ହୋଇଥିବାରୁ ଡକ୍ଟର ସାମନ୍ତ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । କିଟ୍‌ ଏହି ବିରଳ ସଫଳତା ପାଇବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ସହଯୋଗ ପାଇଁ କିଟ୍‌ ପରିବାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.