ଦୁହିଁଙ୍କ ମଧ୍ୟରେ ଥିବା ସ୍ନେହର ସମ୍ପର୍କକୁ ହିଁ ତ ବନ୍ଧୁତା କୁହାଯାଏ: ଏଇ ଯେମିତି ସୁକମଣି ଓ ମେଧାଙ୍କ ସମ୍ପର୍କ

ସୁବର୍ଣ୍ଣପୁର(କେନ୍ୟୁଜ୍): ଆଜି ହେଉଛି ଅର୍ନ୍ତଜାତୀୟ ବନ୍ଧୁତା ଦିବସ । ବନ୍ଧୁ ପାଇଁ ଦିନଟିଏ । ସମାଜରେ ଆପଣ ଅନେକ ପ୍ରକାର ବନ୍ଧୁ ଦେଖିଥିବେ । କେଉଁଠି ବନ୍ଧୁଟିଏ ବନ୍ଧୁତାରେ ବିଶ୍ୱାସ ଘାତକତା କରୁଛି ତ ଆଉ କେଉଁଠି ବନ୍ଧୁ ପାଇଁ ବନ୍ଧୁଟିଏ ଜୀବନ ବି ହାରିଦେଉଛି । ହେଲେ ଆଜି ଅମେ ଏଭଳି ଦୁଇଜଣ ବନ୍ଧୁଙ୍କ କଥା କହିବୁ ଯେଉଁମାନେ ଅନ୍ଯମାନଙ୍କ ପାଇଁ ପାଲଟିଯାଇଛନ୍ତି ଉଦାହରଣ । ଘରଲୋକ ପର କଲାପରେ ଦୁଇ ଅଜଣା ବ୍ଯକ୍ତିତ୍ୱ ବନି ଯାଇଛନ୍ତି ସବୁଦିନ ପାଇଁ ସୁଃଖ ଦୁଃଖର ବନ୍ଧୁ । ଏମିତି ଗୋଟିଏ ନିଆରା ବନ୍ଧୁତ୍ୱ ଦେଖିବାକୁ ମିଳିଛି ସୁବର୍ଣ୍ଣପୁରରେ।

ଦରଭଙ୍ଗା କୁଡିଆ । ଆଉ ଏହି କୁଡିଆ ଭିତରେ ଅସହାୟ ଜଣେ ବୃଦ୍ଧ ଓ ଆଉ ଜଣେ ବୃଦ୍ଧା । ଉଭୟଙ୍କ ମଧ୍ଯରେ ସୁନ୍ଦର ସମ୍ପର୍କ । ଜଣେ ଆର ଜଣକ ସୁଖରେ ଆଉ ଦୁଃଖରେ ସାଥି । କେତେବେଳେ ଉଭୟଙ୍କ ମଧ୍ଯରେ ଭାବବିନିମୟ ତ ଆଉ କେତେବେଳେ ଉଭୟେ ଉଭୟଙ୍କ ପାଇଁ ବଢାଉଛନ୍ତି ସହଯୋଗର ହାତ । ଆପଣ ଏମାନଙ୍କୁ ଦେଖିଲା ପରେ ନିଶ୍ଚୟ ଭାବୁଥିବେ ଏଦୁହେଁ ସମ୍ପର୍କରେ ପତି ପତ୍ନୀ । କିନ୍ତୁ ଆପଣ ଭୁଲ ଭାବୁଛନ୍ତି । କାରଣ ଏମାନେ ପତି ପତ୍ନୀ ନୁହଁନ୍ତି । ଏମାନଙ୍କ ଉଭୟଙ୍କ ଅଲଗା ଅଲଗା ଘର ସଂସାର ରହିଛି । ହେଲେ ସବୁଥାଇବି ଏବେ ଏମାନଙ୍କର ପାଖରେ କିଛି ନାଇଁ । କାରଣ ଏମାନେ ଦୁଇଜଣ ହେଉଛନ୍ତି କୁଷ୍ଠରୋଗୀ । ଏବେ ଉଭୟେ ଏହି କୁଷ୍ଠାଶ୍ରମରେ ଦିନ କାଟୁଛନ୍ତି । ରୋଗ ପାଇଁ ଘରଲୋକ ପର କରିଦେଲା ପରେ ଏବେ ସୁବର୍ଣ୍ଣପୁରର ଏହି କୁଷ୍ଠାଶ୍ରମ ହିଁ ଏମାନଙ୍କ ଶେଷ ଠିକଣା ହୋଇଯାଇଥିବାବେଳେ ଉଭୟେ ଉଭୟଙ୍କ ବନ୍ଧୁ ପାଲଟି ଯାଇଛନ୍ତି ।

ସୁକମଣି ବାଘ । ବୟଷ ପାଖାପାଖି ୯୦ କୁ ଛୁଇଁଲାଣି । ବୌଦ୍ଧ ଜିଲ୍ଲା ଖଟଖଟିଆ ପଂଚାୟତର ଜଲପାଲି ଗାଁର ବାସିନ୍ଦା । ଦିନେ ସୁକମଣିଙ୍କର ଥିଲା ସୁଃଖର ସଂସାର । ପରିବାରର ଅନ୍ଯ ସଦସ୍ଯଙ୍କ ସହ ପତ୍ନୀ ଓ ଛୋଟ ପୁଅକୁ ନେଇ ବେଶ ଖୁସିଥିଲେ ସୁକମଣୀ । କିନ୍ତୁ ୧୯୬୨ ମାସିହାରେ ସୁକମଣି କୁଷ୍ଠ ରୋଗରେ ଆକ୍ରାନ୍ତ ହେବାପରେ ଘର ଓ ସମାଜ ପର କରିଦେଲା । ଏଣୁ ସେହି ଦିନଠାରୁ ସୁବର୍ଣ୍ଣପୁରର ଏହି କୁଷ୍ଠାଶ୍ରମ ହିଁ ତାଙ୍କ ପାଇଁ ପାଲଟିଗଲା ସବୁକିଛି । ଆଉ ବୃଦ୍ଧା ଜଣଙ୍କ ଅବସ୍ଥା ବି ସମାନ ।  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀପୁରା ଗାଁର ମେଧା ବାରିକ । ସ୍ୱାମୀ ଓ ଏକମାତ୍ର ପୁଅକୁ ନେଇ ସେବି ବେଶ ହସ ଖୁସିରେ ଥିଲେ । ହେଲେ ସେ ମଧ୍ଯ କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ପର କରିଦେଲେ ଘର ଓ ଗାଁ ଲୋକ । ଏଣୁ ତାଙ୍କୁ ମଧ୍ଯ ଏହି କୁଷ୍ଠାଶ୍ରମରେ ଛାଡି ଦିଆଗଲା । ହେଲେ ଏହି କୁଷ୍ଠାଶ୍ରମରେ ଏମାନଙ୍କ ଦୁହିଁଙ୍କ ଭେଟ ହେଲା ପରେ ଜଣେ ଅନ୍ଯ ଜଣଙ୍କ ବନ୍ଧୁ ପାଲଟି ଯାଇଛନ୍ତି । ଏହାରି ଭିତରେ ବିତିଗଲାଣି ୩୦ବର୍ଷ । ହେଲେ ଆଜି ବି ଅତୁଟ ରହିଛି ଏମାନଙ୍କ ବନ୍ଧୁତା । ସମ୍ପର୍କୀୟ କଥା ଭାବିଲେ ଆଖିରେ ଲୁହ ଆସିଯାଉଛି ସତ । ହେଲେ ଦୁହେଁ ଦୁହିଁଙ୍କ ଭିତରେ ସୁଖ ଦୁଃଖ ଭାଗବଂଟା କରି ବାକି ଜୀବନକୁ କଟାଇଦେବାକୁ ଚେଷ୍ଟା କରୁଛନ୍ତି ।

ଦୁହିଁଙ୍କ ମଧ୍ୟରେ ଥିବା ସ୍ନେହର ସମ୍ପର୍କକୁ ହିଁ ତ ବନ୍ଧୁତା କୁହାଯାଏ। ଏହି ସମ୍ପର୍କ ଦୁନିଆର ସବୁ ସମ୍ପର୍କଠାରୁ ଶକ୍ତିଶାଳୀ। ଏଇ ଯେମିତି ସୁକମଣି ଓ ମେଧାଙ୍କ ସମ୍ପର୍କ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.