ଡିଏନ୍ ଗ୍ରୁପ୍ ଉପରେ IT ରେଡ୍ : ମାଲିକ ଓ କର୍ମଚାରୀଙ୍କୁ ଜେରା ବେଳେ ମିଳିଲା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଟିକସ ପାଙ୍କିବା ଅଭିଯୋଗରେ ଡିଏନ ହୋମ୍ସର ହିସାବନିକାଶ ଚାଲିଛି । ମାରାଥନ୍ ଖୋଳତାଡ ଚଳାଇଛି ଆୟକର ବିଭାଗ । ଗତକାଲି କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟରେ ମାଲିକ ଜଗଦୀଶ ନାୟକଙ୍କୁ ଜେରା କରିଥିଲେ ଆୟକର ବିଭାଗର ବରିଷ୍ଠ ଅଧିକାରୀ ।ଅନ୍ୟପଟେ ଆୟର ଉତ୍ସ ଦେଖାଇ ନପାରିଲେ ଏହା ବେଆଇନ ଆୟ ବୋଲି ଜଣାପଡିବ ।

ଭୁବନେଶ୍ୱର (କେନ୍ୟୁଜ): ଟିକସ ପାଙ୍କିବା ଅଭିଯୋଗରେ ଡିଏନ ହୋମ୍ସର ହିସାବନିକାଶ ଚାଲିଛି । ମାରାଥନ୍ ଖୋଳତାଡ ଚଳାଇଛି ଆୟକର ବିଭାଗ । ୪ ଦିନ ହେବ ରେଡ୍ ଚାଲିଥିଲା । ଗତକାଲି କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟରେ ମାଲିକ ଜଗଦୀଶ ନାୟକଙ୍କୁ ଜେରା କରିଥିଲେ ଆୟକର ବିଭାଗର ବରିଷ୍ଠ ଅଧିକାରୀ । ପ୍ରଥମେ ଏକାକୀ ଓ ପରେ କମ୍ପାନୀର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା । ଜବତ ହୋଇଥିବା କୋଟି କୋଟି ଟଙ୍କା ଓ ୧୨୦ କୋଟିର ମନି ରିସିପ୍ଟ ବାବଦରେ ପ୍ରଶ୍ନ ପଚାରିଥିଲେ ଅଧିକାରୀ । କେବେଠାରୁ ଟିକସ ଫାଙ୍କିଛନ୍ତି ? କେତେ ପରିମାଣର ଟ୍ୟାକ୍ସ ଫାଙ୍କିଛନ୍ତି ? ବେନାମୀ ଟଙ୍କାର ସୂତ୍ର କଣ ? କେଉଁଠୁ ଆସିଥିଲା ଏତେ ପରିମାଣର ଟଙ୍କା ? କର୍ମଚାରୀଙ୍କ ଘରୁ ଜବତ କୋଟି କୋଟି ଟଙ୍କା ଆସିଲା କୁଆଡୁ ।
ଏମିତି ଅନେକ ପ୍ରଶ୍ନ ଜଗଦୀଶ ନାୟକଙ୍କ ପାଖରୁ ବାହାର କରିଛି ଆୟକର ବିଭାଗ । ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଧିକାରୀଙ୍କ ହାତରେ ଲାଗିଥିବା ଜଣାପଡ଼ିଛି । ୧୫ ଜଣିଆ ଟିମ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି । କାର୍ଯ୍ୟାଳୟରୁ ଜବତ ପେନ୍ଡ୍ରାଇଭ,ଲାପ୍ଟପ୍, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ହାର୍ଡ ଡିସ୍କର ବି ଯାଞ୍ଚ ହୋଇଛି । ଅନ୍ୟପଟେ ଆୟର ଉତ୍ସ ଦେଖାଇ ନପାରିଲେ ଏହା ବେଆଇନ ଆୟ ବୋଲି ଜଣାପଡିବ । ଏହି ଟଙ୍କା ଉପରେ ଟିକସ, ପେନାଲଟି, ସୁଧ ଆଦିକୁ ମିଶାଇ ଆଦାୟ କରିବ ଆୟକର ବିଭାଗ । ଅଧିକ ଖୋଳତାଡ଼ ପାଇଁ ଆସନ୍ତା ସପ୍ତାହରେ ଡିଏନ ହୋମ୍ସରେ ପଶିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟପଟେ ପ୍ରତିକ୍ରିୟାରେ ଡିଏନ୍ ଗ୍ରୁପ ମୁଖ୍ୟ ଜଗଦୀଶ ନାୟକ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ ।