ଡ. ଇତି ସାମନ୍ତଙ୍କ ମନ୍ମୟ-ପ୍ରବନ୍ଧ ପୁସ୍ତକ ମହୀୟସୀ ଗରୀୟସୀ ଭାରତୀୟ ନାରୀ ପ୍ରତିମାର ଆଲୋଚନା ଆସର
ଡ. ଇତି ସାମନ୍ତଙ୍କ ରଚିତ ଏହି ପୁସ୍ତକଟି ଭାରତୀୟ ସାହିତ୍ୟରେ ଏକ ଅମୂଲ୍ୟ ସମ୍ପଦ

ଭୁବନେଶ୍ୱର (କେନ୍ୟୁଜ୍) : ଭାରତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଭାରତୀୟ ଜୀବନଧାରାକୁ ବହୁମୁଖୀ ଅବଦାନ ଦେଇ ୠଦ୍ଧିମନ୍ତ କରିଥିବା ଅଥଚ ଅନାବିଷ୍କୃତ ଓ ଅନାଲୋଚିତ ହୋଇ ଜାତୀୟ ସ୍ମୃତିରୁ କ୍ରମଶଃ ଦୂରେଇ ଯାଉଥିବା ନାରୀ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ସହିତ କାଦମ୍ବିନୀ ସମ୍ପାଦିକା ଓ ସୁସାହିତ୍ୟିକା ଡ. ଇତି ସାମନ୍ତଙ୍କ ମନ୍ମୟ-ପ୍ରବନ୍ଧ ପୁସ୍ତକ ମହୀୟସୀ ଗରୀୟସୀ ଭାରତୀୟ ନାରୀ ପ୍ରତିମା ଉଚିତ ସମୟରେ ଏକ ଉଚିତ ଅବଦାନ । ଏହି ପୁସ୍ତକ ଭାରତୀୟ ସାହିତ୍ୟର ଏ ସ୍ମରଣୀୟ ଗ୍ରନ୍ଥ ହୋଇ ରହିବ ବୋଲି ଆଜି ସ୍ଥାନୀୟ ରୋଟାରୀ ଭବନରେ ଆୟୋଜିତ ଆଲୋଚନା ଆସରରେ ଯୋଗ ଦେଇ ଅତିଥିଗଣ ମତ ପ୍ରକାଶ କରିଛନ୍ତି ।
ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପ୍ରକାଶନ ସଂସ୍ଥା ‘ବ୍ଲାକ ଇଗଲ ବୁକ୍ସ’ ପକ୍ଷରୁ ଆୟୋଜିତ କାଦମ୍ବିନୀ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଡ. ଇତି ସାମନ୍ତଙ୍କ ମନ୍ମୟ ପ୍ରବନ୍ଧ ପୁସ୍ତକ ମହୀୟସୀ ଗରୀୟସୀ ଭାରତୀୟ ନାରୀ ପ୍ରତିମାର ଏହି ଆଲୋଚନା ଆସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜ୍ଞାନପୀଠ ପୁରସ୍କାର ବିଜୟିନୀ ସୁଖ୍ୟାତ ସାହିତ୍ୟିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ, ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡ. ଗୌରହରି ଦାସ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଏସ୍ଆରଏଫ୍ଟିଆଇର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ବିଶିଷ୍ଟ ଗାଳ୍ପିକା ଡ. ହିରଣ୍ମୟୀ ମିଶ୍ର ଏବଂ ବିଶିଷ୍ଟ ଭାଷା ଗବେଷକ ଡ. ଦେବାଶିଷ ମହାପାତ୍ର ଯୋଗ ଦେଇଥିଲେ ।
ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଡ. ଇତି ସାମନ୍ତଙ୍କ ଏପରି ଏକ ପୁସ୍ତକ ଦେଶ ପାଇଁ ଉଚିତ ସମୟରେ ଉଚିତ ଅବଦାନ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ଏସ୍ଆରଏଫ୍ଟିଆଇର ନିର୍ଦ୍ଦେଶକ ହିମାଂଶୁ ଖଟୁଆ । ପୁସ୍ତକ ସମ୍ପର୍କରେ ଆଲୋଚନା କରି ପଦ୍ମଭୂଷଣ ଡ. ପ୍ରତିଭା ରାୟ କହିଲେ ଯେ ନିଜର ସମ୍ପାଦକୀୟକୁ ନେଇ ପୁସ୍ତକ ଆକାରରେ ପ୍ରକାଶ କରିବାରେ ଡ. ହରେକୃଷ୍ଣ ମହତାବଙ୍କ ପରେ ଡ. ଇତି ସାମନ୍ତଙ୍କ ପ୍ରୟାସ ବେଶ୍ ଉଲ୍ଲେଖନୀୟ । ଏଥିପାଇଁ ସେ ଡ. ସାମନ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଗତ ତିନି ବର୍ଷ ଧରି ଡ. ଇତି ସାମନ୍ତ କାଦମ୍ବିନୀର ସମ୍ପାଦକୀୟ ପୃଷ୍ଠାରେ ଏସବୁ ଲେଖୁଥିଲେ । ଏହି ପୁସ୍ତକଟିରେ ଲେଖିକା ଯେପରି ଭାବରେ ଭାରତ ବର୍ଷର ବହୁ ବିସ୍ମୃତ ନାରୀ ପ୍ରତିଭାମାନଙ୍କୁ ଏକତ୍ର କରିଛନ୍ତି ତାହା ଏକ ନିଆରା ପ୍ରୟାସ । ଏଥିରେ ଲେଖିକାଙ୍କ ଆଭିମୁଖ୍ୟ, ନିଷ୍ଠା ଓ ବିଚାର ସ୍ପଷ୍ଟ ବୋଲି ସେ କହିଥିଲେ । ସେହିପରି ଡ. ସାମନ୍ତଙ୍କ ରଚିତ ଏହି ପୁସ୍ତକଟି ଭାରତୀୟ ସାହିତ୍ୟରେ ଏକ ଅମୂଲ୍ୟ ସମ୍ପଦ ବୋଲି ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ ।
ପୁସ୍ତକର ଲେଖିକା ଡ. ଇତି ସାମନ୍ତ ନିଜର ଲେଖକୀୟ ବକ୍ତବ୍ୟରେ ଏହି ନାରୀ ପ୍ରତିଭାମାନଙ୍କ ଆଲୋଚ୍ୟ ପ୍ରସ୍ତୁତିରେ ନିଜର ଗବେଷଣା ଓ ଭାବପ୍ରବଣତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ନିଜର ଲେଖକୀୟ ଜୀବନରେ ସେ ୨୫ ଖଣ୍ଡରୁ ଅଧିକ ପୁସ୍ତକ ରଚନା କରିଥିଲେ ମଧ୍ୟ ଏହି ମନ୍ମୟ ପ୍ରବନ୍ଧ ପୁସ୍ତକ ତାଙ୍କୁ ବିଶେଷ ଆତ୍ମସନ୍ତୋଷ ଦେଇଛି ବୋଲି ଡ. ଇତି ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ‘ବ୍ଲାକ ଇଗଲ ବୁକ୍ସ’ର ଭାରତ ମୁଖ୍ୟ ଅଶୋକ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ସଞ୍ଚାଳନ କରିଥିଲେ ଅମିତାଭ ଖିଲାର ଓ ଅମ୍ରିତା ମହାନ୍ତି । ଏଥିର ଅନେକ କବି, ଲେଖକ, ପାଠକ ଏବଂ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।