ମୁମ୍ବାଇରେ ଓଏମଜିସି ଜାହାଜ ବୁଡି ଘଟଣା, ମୃତ୍ୟୁକୁ ଛୁଇଁ ଫେରିଲେ ଯାଜପୁର ଯୁବକ ଶ୍ରୀକାନ୍ତ

କଥାରେ ଅଛି “ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ” । ଏ କଥା ପୁଣି ଥରେ ସତ ବୋଲି ପ୍ରମାଣିତ ହୋଇଛି । ଦୀର୍ଘ ୧୬ଘଣ୍ଟାରୁ ଅଧିକ ସମୟ ଗଭୀର ସମୁଦ୍ର ଭିତରେ ସଂଘର୍ଷ କରି ମୃତ୍ୟୁମୁଖରୁ ଉଦ୍ଧାର ପାଇଛନ୍ତି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଯୁବକ ଶ୍ରୀକାନ୍ତ କର । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସମୁଦ୍ର ଭିତରେ ଜୀବନ ସହ ସଂଘର୍ଷ । ଶେଷରେ ମୃତ୍ୟୁକୁ ଜୟ କରି ଫେରିଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ଇଶାଣପୁର ପଂଚାୟତ ଶଙ୍କରାକୂଳ ଗାଁର ଯୁବକ ଶ୍ରୀକାନ୍ତ କର । ମୁମ୍ବାଇର ଓଏମଜିସି କଂପାନୀରେ କାମ କରୁଥିବା ଶ୍ରୀକାନ୍ତ ଅନ୍ୟମାନଙ୍କ ସହ ସମୁଦ୍ର ମଝିରେ କାମ କରୁଥିଲେ ।

ବାତ୍ୟା ତାଉତେ ପ୍ରଭାବରେ ସେକାମ କରୁଥିବା ଜାହାଜଟି ବାଡେଇ ହୋଇ ଫୁଟି ଯିବା ସାଙ୍ଗକୁ ସେଥିରେ ପାଣି ପଶିବା ଆରମ୍ଭ ହୋଇଥିଲା । ତାଙ୍କ କ୍ୟାପଟେନ ବି ସତର୍କ କରାଇ ଦେଇଥିଲେଯେ ଖୁବ କମ ସମୟ ଭିତରେ ଜାହାଜଟି ବୁଡିବାକୁ ଯାଉଛି । ସମସ୍ତଙ୍କୁ ସମୁଦ୍ରକୁ ଡେଇଁବାକୁ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ରହିଥିଲା । ଜାହାଜରେ ଥିବା ପ୍ରାୟ ୨୭୦ଜଣ କର୍ମଚାରୀ ଲାଇଫ ଜ୍ୟାକେଟ ପିନ୍ଧି ପ୍ରସ୍ତୁତ ହୋଇଥିଲେ । ଚାହୁଁ ଚାହୁଁ ଜାହାଜଟି ବୁଡିବାକୁ ଆରମ୍ଭ କଲା । ସମସ୍ତେ ଅନ୍ଧାରରେ ସମୁଦ୍ରକୁ ଡେଇଁ ପଡିଲେ । ଆଉ ତାଙ୍କ ମଧ୍ୟରେ ଥିଲେ ଯାଜପୁରର ଯୁବକ ଶ୍ରୀକାନ୍ତ | ସେ ସମୟର ଲୋମଟାଙ୍କୁରା ଦୃଶ୍ୟକୁ ବଖାଣିବା ବେଳେ ନିଜର କୋହକୁ ସମ୍ଭାଳି ପାରିନାହାନ୍ତି ଶ୍ରୀକାନ୍ତ ।

ଗଭୀର ସମୁଦ୍ରରେ ଦୀର୍ଘ ୧୬ଘଣ୍ଟା କାଳ ମୃତ୍ୟୁ ସହ ସଂଗ୍ରାମ କରି ନୂତନ ଜୀବନ ପାଇଛନ୍ତି ଶ୍ରୀକାନ୍ତ । ପରେ ନୈାସେନା ତରଫରୁ କରାଯାଇଥିବା ଉଦ୍ଧାର ଅଭିଯାନରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏପଟେ ଘଟଣା ପରଠାରୁ ଧୈର୍ଯ୍ୟହରା ଅବସ୍ଥାରେ ରହିଛନ୍ତି ଶ୍ରୀକାନ୍ତଙ୍କ ପରିବାର ଲୋକେ । ଘରେ ବୁଢି ମା, ପତ୍ନୀ, ଭାଇ ଭାଉଜଙ୍କ ସହ ଶ୍ରୀକାନ୍ତଙ୍କ ଛୋଟ ଝିଅଟି ସେବେଠାରୁ ତାଙ୍କ ବାଟ ଚାହିଁ ବସିଥିଲେ । ଶ୍ରୀକାନ୍ତ ଜୀବିତ ଅଛନ୍ତି ବୋଲି ଶୁଣିବା ପରେ ତାଙ୍କୁ ଦେଖିବାକୁ ବ୍ୟାକୁଳ ହୋଇ ଅଛନ୍ତି । ତେବେ ଶ୍ରୀକାନ୍ତ ଗାଁକୁ ଫେରିଲା ପରେ ଗାଁ ନିକଟସ୍ଥ ସଂଗରୋଧ କେନ୍ଦ୍ରରେ ରହିଛନ୍ତି । ସରକାରଙ୍କ କୋଭିଡ କଟକଣାକୁ ଅନୁପାଳନ କଲା ପରେ ଘରକୁ ଫେରିବେ ବୋଲି ଜଣାଯାଇଛି । ନିଜର ସାହାସ ଓ ଧୈର୍ଯ୍ୟ ବଳରେ ଶ୍ରୀକାନ୍ତ ଆଜି ଏକ ନୂଆ ଜୀବନ ପାଇଥିବା ଅଂଚଳବାସୀ କହିଥିବା ବେଳେ ଶ୍ରୀକାନ୍ତଙ୍କୁ ନେଇ ସେମାନେ ଗର୍ବ କରନ୍ତି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.