ଆକ୍ସନ ମୋଡରେ ଯାଜପୁର ତହସିଲଦାର : ବେଆଇନ ଖଣି ସିଲ, ୧୪୪ ଧାରା ଜାରି
ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ପ୍ରଶାସନ ପକ୍ଷରୁ ବିଭିନ୍ନ ବେଆଇନ ଖାଦାନ ଉପରେ ଆଜି ମାରାଥନ ଚଢାଉ କରାଯାଇଛି। ତହସିଲର ସାହାଣୀଡିହ, ଅଞ୍ଜିରା, ବିଛାଖଣ୍ଡି, ରାଇଛନ୍ଦା, କୁସୁନପୁର ଆଦି ମୌଜାରେ ଥିବା ବେଆଇନ ଖାଦାନ ଗୁଡିକରେ ସଦଳବଳ ଚଢାଉ କରାଯାଇ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଏହିସବୁ ଖାଦାନରେ ଲଗାଯାଇଛି ନାଲି ପତାକା। ବେଶ କିଛି ବର୍ଷ ହେବ ମାଫିଆମାନେ ଏସବୁ ସ୍ଥାନରୁ ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ କରି ମୁନାଫା ହାତେଇ ଆସୁଥିଲେ।
ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏହି ଚଢାଉରେ ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ବିଭିନ୍ନ ସର୍କଲର ରାଜସ୍ୱ ନିରୀକ୍ଷକ ପ୍ରମୁଖ ସାମିଲ ଥିଲେ। ଅନ୍ୟୁନ ୭ ଶହ ଏକ ପରିମିତ ଜାଗାରେ ୧୪୪ ଧାରା ଜାରି କରାଯାଇଥିବା ତହସିଲଦାର ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏଥିପୂର୍ବରୁ ଏହି ତହସିଲର ଆରୁହା କଳାପଥର ଖାଦାନରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି।