ସର୍ବସ୍ୱ ହରାଇ ଅସହାୟ ହୋଇପଡିଛନ୍ତି ସୁଲୋଚନା, ବଞ୍ଚିବା ପାଇଁ ଖୋଜୁଛନ୍ତି ରାହା

ଯାଜପୁର ରୋଡ୍ : ସମୟ ମଣିଷକୁ କେତେବେଳେ କେଉଁ ପରିସ୍ଥିତିରେ ପହଁଚାଇ ଦିଏ ତାହା କହିବା ମୁସ୍କିଲ୍ । ସମୟର ଏହି ଚକ୍ରବ୍ଯୁହରେ ଆଜି ସର୍ବସ୍ୱ ହରାଇ ଅସହାୟ ହୋଇପଡିଛନ୍ତି ଜଣେ ବୃଦ୍ଧା। ଅତି ଦୟନିୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ବୃଦ୍ଧାଙ୍କର ବୟସ ୬୫ ବର୍ଷ। ନିଜର ବୋଲି କେହି ନାହାନ୍ତି। ଝାଟିମାଟିର ଘର ମାଟିରେ ମିଶିଲାଣି। ଦୃଷ୍ଟିଶକ୍ତି ମଧ୍ୟ ଚାଲିଗଲାଣି। ଏବେ ଅସହାୟ ଅବସ୍ଥାରେ ଅତି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ବାରଦା ଗ୍ରାମର ସୁଲୋଚନା ଦାଶ ।
ତାଙ୍କର କେହି ଛୁଆପିଲା ନାହାନ୍ତି କି ସ୍ୱାମୀ ନାହାନ୍ତି । ପରିପକ୍ୱ ବୟସରେ ଏବେ ଏକା ଏକା ବଂଚିବାର ରାହା ଖୋଜୁଛନ୍ତୁ ସୁଲୋଚନା । ଏ ବୟସରେ ଗାଁ ସାହିରେ କେବଳ ମାଗିଯାଚି ଚଳିବା ଛଡା ଅନ୍ଯ କିଛି ଉପାୟ ବି ନାହିଁ । କିଏ ବା ଜାଣିଥିଲା ତାଙ୍କ ହସଖୁସିର ସଂସାରରେ ଦିନେ ସବୁ ଦୁଃଖ ଅଜାଡି ହୋଇଯିବ। ସ୍ୱାମୀ ଥିଲାବେଳେ ଚାଷ କାମ କରି ବେଶ ୨ପଇସା ରୋଜଗାର କରୁଥିଲେ। ଫଳରେ ଦମ୍ପତି ହସଖୁସିରେ ଦିନ କାଟୁଥିଲେ। ହେଲେ ଆଜକୁ ପ୍ରାୟ ୧୨ବର୍ଷ ତଳେ ସୁଲୋଚନାଙ୍କ ସ୍ୱାମୀ ଭିଷଣ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଆରପାରିକୁ ଚାଲିଗଲେ । ସେହିଦିନଠାରୁ ସୁଲୋଚନାଙ୍କ ବୟସ ବଢିବା ସହିତ ବଢି ବଢି ଚାଲିଲା ଦୁଃଖ। ଏବେ ପରିପକ୍ୱ ବୟସରେ କଣ ଖାଇବେ ଏବଂ କିପରି ବଂଚିବେ ସେହି ଚିନ୍ତା ହିଁ ସୁଲୋଚନାଙ୍କୁ ଘାରିଛି । ଏବେ ସରକାରୀ ବା ବେସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଏହିବୃଦ୍ଧା ମହିଳା।
ଅନ୍ଯପଟେ ସୁଲୋଚନା ଏବେ ନିଜର ଦୃଷ୍ଟିଶକ୍ତି ମଧ୍ୟ ହରାଇ ବସିଲେଣି । ପାଖରେ ନିଜର ବୋଲି କେହି ନାହିଁ । ବର୍ତମାନ ତାଙ୍କ ସ୍ଥିତି ଆହୁରି ଜଟିଳ ହୋଇପଡିଛି। ଏଭଳି ପରିସ୍ଥିତିରେ ତୁରନ୍ତ ସୁଲୋଚନାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେପଟେ ବୃଦ୍ଧାଙ୍କ ଏଭଳି ଦୁସ୍ଥିତିକୁ ନେଇ ଆମେ ଭେଟିଥିଲୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ । ଯଥାଶିଘ୍ର ଏଦିଗରେ ତଦନ୍ତ କରାଯାଇ ବୃଦ୍ଧାଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଅସହାୟ ଦୃଷ୍ଟିହୀନ ବୃଦ୍ଧା ସୁଲୋଚନାଙ୍କୁ ଏବେ କେବଳ ଦଇବ ସାହା। ତେବେ ଏହି ବୃଦ୍ଧାଙ୍କ ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡିଲେ ହୁଏତଃ ସେ ତାଙ୍କ ଅବଶିଷ୍ଟ ଜୀବନ ଭଲରେ ଅତିବାହିତ କରିପାରେ‘।