ବିପଦ ସଙ୍କେତ ଉପରେ ଜଳକା ନଦୀ, ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକେ

ଜଳେଶ୍ବର(କେନ୍ୟୁଜ୍): ଲଗାଣ ବର୍ଷାରେ ଫୁଲିଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା । ଏବେ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫.୯୬ ମିଟର ରହିଛି ।

ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢୁଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଅଛନ୍ତି ନଦୀକୂଳିଆ ଲୋକ । ବନ୍ୟା ହେଲେ ରୁଆ ଯାଇଥିବା ଧାନ ତଳି ସବୁ ନଷ୍ଟ ହେବାର ଆଶଙ୍କା କରାଯାଉଛି ।

ସୂଚନା ଥାଉକି, ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ୱେଲମାର୍କଡ ଲୋ ପ୍ରେସର ଘନୀଭୂତ ହୋଇ ଆଜି ଡିପ୍ରେସନରେ ପରିଣତ ହୋଇଛି । ଦକ୍ଷିଣ ଉପକୂଳ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ସକ୍ରିୟ ରହିଛି ଅବପାତ । ଏବେ ଗୋପାଳପୁରଠାରୁ ୨୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଡିପ୍ରେସନ୍‌। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ଆଡେ ଅଗ୍ରସର ହେବ । ପରେ ଧୀରେ ଧୀରେ ଦୁର୍ବଳ ହେବ ଅବପାତ । ଅବପାତ ପ୍ରଭାବରେ ଆଜି ରାଜ୍ୟରେ ବିସ୍ତୃତି ବର୍ଷା ଜାରି ରହିଛି।

ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅବପାତ ପ୍ରଭାବରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ । ଅଶାନ୍ତ ରହିଛି ସମୁଦ୍ର । ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ସମସ୍ତ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଆସନ୍ତା ୧୬ରୁ ୨୦ ତାରିଖ ଭିତରେ ଆଉ ଏକ ଲଘୁଚାପ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.