Below header

ଗଞ୍ଜାମ: କରୋନା ଛଡାଇ ନେଉଛି ମାନବିକତା, ଚାରିକାନ୍ଧ ନମିଳିବାରୁ ଶବକୁ ଘୋଷାଡ଼ି ଘୋଷାଡ଼ି ଶ୍ମଷାନ ନେଲେ ସମ୍ପର୍କୀୟ

ଗଞ୍ଜାମ(କେନ୍ୟୁଜ୍): ବର୍ତ୍ତମାନ ଦୁନିଆରେ କରୋନାକୁ ନେଇ ଯେଉଁ ସ୍ଥିତି ତାଠାରୁ ବେଶୀ ଭୟଙ୍କର ହୋଇ ପଡିଛି ଲୋକଙ୍କ ମନୋଭାବ । କରୋନା ଆସିବା ପରଠୁ ପ୍ରତ୍ୟେକ ଦିନ ଆପଣ ଟିଭିରେ ହେଉ କିମ୍ବା ସୋସିଆଲ ମିଡିଆରେ କିଛି ନା କିଛି ଅଘଟଣ ଏପରି ଦେଖୁଥିବେ ଯେଉଁଠି କରୋନାକୁ ଡରି ଏକ ସାଧାରଣ ଲୋକ ମନରୁ ଦୟା ଓ ମାନବିକତା ଉଭେଇଗଲାଣି । କିଏ ଭଡାଟିଆକୁ ଘରୁ ବାହାର କରିଦେଲାଣି ତ ଆଉ କିଏ ସାଧାରଣ ମୃତ୍ୟୁ ଘଟିଥିବା ଲୋକର ଶବକୁ ବାହାରେ ପକାଇ ରଖିଲାଣି । ଏଇ ନିକଟରେ ନର୍ସ ମାନେ ଯିଏକି ଆଜିର ସମୟରେ କରୋନା ଯୋଦ୍ଧା ଭାବେ ଆଗରେ ଆଛନ୍ତି ସେମାନଙ୍କୁ ମଧ୍ୟ ତାଙ୍କ ଘର ମାଲିକମାନେ ଘର ଛାଡିବା ପାଇଁ ବାଧ୍ୟ କରୁଛନ୍ତି ବୋଲି କହି ରାଜରାସ୍ତାକୁ ଆସିଯାଇଛନ୍ତି । ଠିକ ସେହିପରି ନିକଟରେ ଜଣେ କରୋନା ଯୋଦ୍ଧାଙ୍କୁ କରୋନା ହେବାରୁ ସାରା ଗାଁ ଲୋକେ ମିଶି ତାଙ୍କୁ ଗାଁ ରେ ପୁରାଇ ଦେଇନଥିବା ଭଳି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଥିଲା ।

ତେବେ ପ୍ରତିଦିନ ଏହିଭଳି ଅନେକ ଦୃଶ୍ୟ ଆଖି ଆଗକୁ ଆସୁଛି ଏବଂ ମୋଟାମୋଟି ଭାବେ କହିବାକୁ ଗଲେ କରୋନା ଲୋକମାନଙ୍କ ପାଖରୁ ମାନବିକତା ଛଡାଇ ନେଲଣି   । ବର୍ତ୍ତମାନ ପରିସ୍ଥିତି ଏପରି ହେଲାଣି ଯେ ଜଣେ ଅନ୍ୟ ଜଣଙ୍କୁ ଘୃଣା ଦୃଷ୍ଟିରେ ଦେଖୁଛନ୍ତି । ଅନ୍ୟ କାରଣରୁ ମୃତ୍ୟୁ ହେଲେ ବି ଶବକୁ ଆଉ ମିଳୁନି ଚାରିକାନ୍ଧ । ଚାରିକାନ୍ଧ ତ ଦୂରର କଥା ଏବେ ଗ୍ରାମବାସୀ ମାନେ ଅନ୍ତିମ ସଂସ୍କାର କରିବାକୁ ଗାଁ ମଶାଣୀକୁ ବି ପୁରାଇ ଦେଉନାହାନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋପିନାଥପାଟଣା ସାହିରେ । ଏହି ଅଂଚଳର ସୋମନାଥ ପାତ୍ର ନାମକ ଜଣେ ଯୁବକ ଗତ ୧୦ଦିନ ହେବ ଜ୍ଵର, କାଶ ଓ ଥଣ୍ଡାରେ ଆକ୍ରାନ୍ତ ଥିଲେ କିନ୍ତୁ ଗତକାଲି ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଶୀତଳପଲ୍ଲୀ କୋଭିଡ ହସ୍ପିଟାଲକୁ ନିଆଯାଉଥିଲା ହେଲେ ରାସ୍ତାରେ ସେ ପ୍ରାଣ ହରାଇଥିଲେ ।

ତେବେ ରାସ୍ତାରେ ମୃତ୍ୟୁ ହୋଇଥିବା ହେତୁ ଅଧବାଟରୁ ଫେରି ଆସିଥିଲା ଆମ୍ବୁଲାନ୍ସ । ଆଉ ଶବଦାହ ପାଇଁ ଗାଁରେ ପହଞ୍ଚିବାରୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା । ଗ୍ରାମବାସୀ ମାନେ ସିଧା ସିଧା ମନା କରିଦେଇଥିଲେ ଯେ ଏଠାରେ ଯୁବକଙ୍କ ଶବଦାହ ହୋଇପାରିବ ନାହିଁ । ଏପରିକି ଆତ୍ମୀୟସ୍ୱଜନ ମାନେ ମଧ୍ୟ ମୁହଁ ଫେରାଇ ନେଇଥିଲେ । ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଶବ ପଡିରହିବା ପରେ ଭାଇ ଭଉଣୀ ଶବକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲେ ଏବଂ ଶବକୁ ମୁଖ୍ୟରାସ୍ତା ପେଟ୍ରୋଲ ପମ୍ପ ପଛପଟ ନଦୀ କଡରେ ଜେସିବି ଦ୍ୱାରା ଗାତ ଖୋଳାଯାଇ ପୋତା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.