ଗଲା ୭ ବର୍ଷ ଧରି ଲୋକଙ୍କୁ ଦୁଃଖ ଦେଉଛି କାଶତଣ୍ଡି

କାଶତଣ୍ଡି ଫୁଲ । ପାର୍ବଣ ର ପହିଲି ସ୍ପର୍ଶର ନିଆରା ଦସ୍ତଖତ । ଶରତର ଶୀତୁଆ ସକାଳ ହେଉ ଅବା ନଇଁ ଆସୁଥିବା ସଂଜ ସମୟ । ଗାଁ ଗୋହିରୀ ଠାରୁ ଆରମ୍ଭ କରି ନଈ ପଠାରେ ଲହଡି ଭାଙ୍ଗୁଥିବା କାଶତଣ୍ଡିଫୁଲ ସୃଷ୍ଟି କରେ ନିଆରା ଅନୁଭବ । ଭାବନା ରାଇଜରେ ମନ୍ତ୍ରମୁଗ୍ଧ ହୋଇପଡନ୍ତି , କବି – ଲେଖକ ଓ ପ୍ରକୃତିପ୍ରେମୀ । ଏମିତି ଏକ ମନଲୋଭା କାଶତଣ୍ଡିଫୁଲ ବଣର ବିପରୀତ ପ୍ରତିଫଳନ ଦେଖିବାକୁ ମିଳିଛି , ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅଞ୍ଚଳରେ । ବର୍ଷେ କି ଦି’ବର୍ଷ ନୁହେଁ, ଗଲା ୭ ବର୍ଷ ଧରି କାଶତଣ୍ଡିଫୁଲ ବଣ ଦୁଃଖ ଦେଇ ଆସିଛି ସ୍ଥାନୀୟ ଲୋକଙ୍କୁ । ଯେଉଁ କାଶତଣ୍ଡିଫୁଲ ସବୁବେଳେ ଖୁସି ଦେଇଥାଏ , ସେ କାହିଁକି ଲୋକଙ୍କ ଦୁଃଖ ର କାରଣ ପାଲଟିଗଲା ।

kasstandi୨୦୧୩ ଅକ୍ଟୋବର ୧୨ ତାରିଖ ରାତିରେ ଫାଇଲିନ ମହାବାତ୍ୟା ପରେ ପରେ , ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି । ବନ୍ୟାପାଣି ଛାଡ଼ିବା ପରେ , ଶହ ଶହ ଏକର ଚାଷ ଜମି ବାଲିଚର ହୋଇଗଲା । ଲୋକେ ନିଜ ଜମିକୁ ଆଉ ଖୋଜି ପାଇଲେନି । ଜମିରେ ୫ ଫୁଟ ବହଳର ବାଲି । ସେହି ବାଲିଚର ଜମିରେ ଧିରେ ଧିରେ ସୃଷ୍ଟି ହେଲା କାଶତଣ୍ଡି ଗଛ । କାଳକ୍ରମେ ଚାରିଆଡ଼େ ମାଡ଼ିଗଲା । ଯୁଆଡ଼େ ଚାହିଁଲେ , ଖାଲି କାଶତଣ୍ଡି ଜଙ୍ଗଲ ।

ଗୋଟିଏ ପଟେ, ବାଲିଚର ହେବାଯୋଗୁଁ ଜମିହରା ହେଲେ ଅଞ୍ଚଳବାସୀ । ଅନ୍ୟପଟେ , ବାଲିଚର ଜମିରେ ସୃଷ୍ଟି ହୋଇଥିବା କାଶତଣ୍ଡି ଜଙ୍ଗଲ , ହିଂସ୍ରଜନ୍ତୁଙ୍କ ଆଶ୍ରୟସ୍ଥଳୀ ପାଲଟିଗଲା । ବାରହା ଓ ଭାଲୁଙ୍କ ଉପଦ୍ରବ ବଢିଚାଲିଲା । ଘରୁ ବାହାରକୁ ବାହାରିଲା ମାତ୍ରେ ବନ୍ୟଜନ୍ତୁଙ୍କ ଆକ୍ରମଣର ଶିକାର ହେଲେ ଲୋକେ । ମହାବନ୍ୟା ଓ ବାତ୍ୟା ରେ ବ୍ୟାପକ କ୍ଷତି ହୋଇଥିବାରୁ ,ପୁନରୁଦ୍ଧାର ପାଇଁ, ସେହି ସମୟରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ, ସଂପୃକ୍ତ ଇଙ୍ଗିନାଠି ପଞ୍ଚାୟତକୁ ପୋଷ୍ୟ ପଞ୍ଚାୟତ ଭାବେ ଘୋଷଣା କରାଗଲା । ହେଲେ ତାହା ଘୋଷଣା ରେ ହିଁ ରହିଗଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

tandiସ୍ଥାନୀୟ ଲୋକଙ୍କୁ ଜମି ପାଇଁ ଜୀବିକା ହରାଇବା ସହ, ହିଂସ୍ରଜନ୍ତୁଙ୍କ ଉପଦ୍ରବରେ ଦୟନୀୟ ଜୀବନ ବିତାଇବାକୁ ପଡୁଛି । ମହାବନ୍ୟା ପରେ, ପୁଣି ବାରମ୍ବାର ବନ୍ୟା ଓ ମରୁଡି ଯୋଗୁଁ ରୋଜଗାର ପନ୍ଥା ବନ୍ଦ ହେବାକୁ ଲାଗିଲା । ଅନେକ ଦାଦନ ଖଟିବାକୁ ବାଧ୍ୟ ହେଲେ । ଏସବୁ ଭିତରେ ବର୍ଷ ପରେ ବର୍ଷ ବିତିବାକୁ ଲାଗିଲା । ତା’ସହିତ ଏବେ କରୋନା କଟକଣାର କଷ୍ଟ । ବନ୍ୟା ପରେ ରାସ୍ତା ଘାଟର ଉନ୍ନତି ହୋଇଛି ସତ, କିନ୍ତୁ ପେଟପାଟଣାର ବିକଳ ଚିତ୍ର, ଦିନକୁ ଦିନ ଦୁର୍ବିସହ ହେବାକୁ ଲାଗିଛି ।

ବନ୍ୟା – ବାଲିଚର – କାଶତଣ୍ଡିବଣ ଓ ହିଂସ୍ରଜନ୍ତୁଙ୍କ ପାଇଁ , ଅଞ୍ଚଳବାସୀଙ୍କ ବଞ୍ଚିବାର ବାଟ ସତେଯେମିତି ଯନ୍ତ୍ରଣା ଦାୟକ ପାଲଟିଛି । ନା’ ଶୁଣିବାକୁ ମିଳୁଛି, କାଦୁଆ ବିଲରେ ହଳ କରୁଥିବା ଚାଷୀ ର ହଳିଆ ଗୀତ, ନା’ କାନରେ ପଡୁଛି, କାଶତଣ୍ଡିଫୁଲକୁ ଦେଖି ବିଭୋର ହୋଇ ଉଠୁଥିବା, କବି ର କବିତା । ସବୁଥାଇ – ଏଠିସବୁ, ସର୍ବହରା । ଏଣୁ ପ୍ରଶାସନ ଏହି ଅଞ୍ଚଳବାସୀଙ୍କ ଦୁଃଖ ଏବଂ ଦୁର୍ଦ୍ଦଶାକୁ ଧ୍ୟାନ ଦେଲେ ନିଶ୍ଚୟ ଭାବରେ ଏମାନଙ୍କ ସମସ୍ୟାର ସମାଧାନ ହୋଇପାରିବ। ତେବେ ଏବେ ଖାଲି ଦେଖିବାକୁ ରହିଲା କେବେ ଶୁଣୁଛି ପ୍ରଶାସନ ଏମାନଙ୍କ ସମସ୍ୟା।