ଜ୍ୱାଇଁ ଅପହରଣରେ ବଳି ପଡିଲା ଶ୍ୱଶୁର, ଅପହରଣ ପରେ ଟଙ୍କା ନେଲେ କିନ୍ତୁ ଛାଡିଲେନି

ଅପହରଣକାରୀଙ୍କ ଆକ୍ରମଣ ଶିକାର ବ୍ୟକ୍ତିଙ୍କ ମଧ୍ୟରୁ ଜଣକର ମୃତ୍ୟୁ । ମୃତକଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ପ୍ରଧାନ। ଗତ ବୁଧବାର ବିଳମ୍ବିତ ରାତିରେ ଘଟିଥିଲା ଘଟଣା ।

କଣ୍ଟାମାଳ (କେନ୍ୟୁଜ) : ପୋଲିସ ଏଏସଆଇଙ୍କୁ ପ୍ରାଣାନ୍ତକ ଆକ୍ରମଣ । ଅପହରଣକାରୀଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ପୋଲିସ ଏଏସଆଇ । ପୋଲିସ ଯାଇଥିଲେ ଶାନ୍ତି ଶୁଙ୍ଖଳା ବଜାୟ ରଖିବା ପାଇଁ କିନ୍ତୁ ଅପହରଣକାରୀଙ୍କ ମାଡରେ ତାଙ୍କ ଅବସ୍ଥା ହୋଇଗଲା ସଂକଟାପନ୍ନ । ହଁ ଆଜ୍ଞା ତାଙ୍କ ଅବସ୍ଥା ଏମିତି ହୋଇଛି ଯେ ସେ ତିନି ତିନିଟା ମେଡିକାଲରେ ଚିକିତ୍ସା ହୋଇସାରିଲେଣି । ଅପହରଣକାରୀମାନେ ପୋଲିସ,ସାଧାରଣ ଲୋକ କିଛି ମାନିନଥିଲେ, ଖାଲି କରୁଥିଲେ ଅତର୍କିତ ଆକ୍ରମଣ । ବୌଦ୍ଧ ମନମୁଣ୍ଡା ଥାନା ଦପଲା ଗାଁ ଠାରେ ଅପହରଣକାରୀଙ୍କ ଆକ୍ରମଣରେ ମନୋହରପୁର ଗାଁର ଦୁଇ ଭାଇ ଗୁରୁତର ଭାବେ ଆହତ ହୋଇଥିବାବେଳେ ସୁରକ୍ଷା ତଥା ଶାନ୍ତିଶୃଙ୍ଖଳା ବଜାୟ କରିବାକୁ ଯାଇ ଜଣେ ପୁଲିସ ଏଏସଆଇ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଏକ ଅଭାବନୀୟ ଘଟଣା ଘଟିଯାଇଛି।

ତେବେ ସଦ୍ୟ ସୂଚନା ଅନୁଯାୟୀ ଦପଲା ଗାଁରେ ଅପହରଣକାରୀଙ୍କ ଆକ୍ରମଣ ଶିକାର ବ୍ୟକ୍ତିଙ୍କ ମଧ୍ୟରୁ ଜଣକର ମୃତ୍ୟୁ । ମୃତକଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ପ୍ରଧାନ। ଗତ ବୁଧବାର ବିଳମ୍ବିତ ରାତିରେ ଘଟିଥିଲା ଘଟଣା । କଣ୍ଟାମାଳ ଥାନା ଲମ୍ବସରି ପଞ୍ଚାୟତ ଖମାର ଗାଁର ପରମେଶ୍ୱର ମହାକୁଡ ନିଜ ଶଶୁର ମନମୁଣ୍ଡା ଥାନା ମନୋହରପୁର ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ଫୋନ ମାଧ୍ୟମରେ ତାଙ୍କୁ ଅପହରଣ କରିନିଆଯାଇଥିବା କହିଥିଲେ । ଦପଲା ଗାଁର ଚୈତନ୍ୟ ମହାକୁଡ ନିଜ ସାଥିମାନଙ୍କ ସହ ମିଶି ତାଙ୍କୁ ଅପହରଣ କରିଥିବା ଓ ଏକ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିଦେବା ନେଇ ଧମକ ଦେଇଥିବା କହିଥିଲେ । ଶିଘ୍ର ଏକ ଲକ୍ଷ ଟଙ୍କା ଧରି ଦପଲା ହାଇସ୍କୁଲ ନିକଟକୁ ଆସିବାକୁ ଶ୍ଵଶୁର ପୂର୍ଣ୍ଣଚନ୍ଦ୍ରଙ୍କୁ କହିଥିଲେ । ପୂର୍ଣ୍ଣଚନ୍ଦ୍ର ପ୍ରଧାନ ନିଜ ସାନ ଭାଇ ମଦନ ପ୍ରଧାନଙ୍କ ସହ ଏକ ଲକ୍ଷ ଟଙ୍କା ଧରି ଦପଲା ହାଇସ୍କୁଲ ନିକଟକୁ ପହଁଚିଥିଲେ । ଅପହରଣକାରୀମାନେ ଟଙ୍କା ନେଇଯାଇଥିଲେ ଓ ଅପହର୍ତ୍ତାଙ୍କୁ ହସ୍ତାନ୍ତର କରି ନଥିଲେ। ସେ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅପହରଣକାରୀ ଗୋଷ୍ଠୀ ଦୁଇ ଭାଇ ପୂର୍ଣ୍ଣଚନ୍ଦ୍ର ଏବଂ ମଦନଙ୍କୁ ଲୁହା ପାଇପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଆହତ ଦୁଇ ଭାଇଙ୍କୁ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେହି ଗଣ୍ଡଗୋଳ ସମୟରେ କେହି ୧୧୨କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ମନମୁଣ୍ଡା ଥାନା ଏ ଏସ ଆଇ କୁମୁଦ ଚନ୍ଦ୍ର ଭୋଇ ଅଳ୍ପ ସଂଖ୍ୟକ ପୁଲିସ ସହ ସେଠାକୁ ଯାଇଥିଲେ। ଦୁର୍ବୃତ୍ତ ମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଉକ୍ତ ଆକ୍ରମଣରେ ଏ ଏସ ଆଇ ଶ୍ରୀ ଭୋଇ ଗୁରୁତର ଆହତ ହୋଇ ପ୍ରଥମେ ସୋନପୁର ଓ ପରେ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବରଗଡ଼ ବିକାଶ ଘରୋଇ ଡାକ୍ତରଖାନାରେ ନେଇ ଭର୍ତ୍ତି କରାଯାଇଛି ।

ତେବେ ଗୁରୁତର ଆହତ ଦୁଇ ଭାଇଙ୍କୁ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ଏକ ଆଖି ନଷ୍ଟ ହୋଇଯାଇଥିବା ଏବଂ ତାଙ୍କ ମୁଣ୍ଡରେ ଗୁରୁତର କ୍ଷତାକ୍ତ ହୋଇଥିବା ସୂଚନା ରହିଥିଲା । କିନ୍ତୁ ପୂର୍ଣ୍ଣଚନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଅଣା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ନେଇ ସାନଭାଇ ମଦନ ପ୍ରଧାନ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ୍ ୩ ଜଣଙ୍କୁ ଅଟକ ରଖି ଅନୁସନ୍ଧାନ ଚଳାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.