ମୋ ପୁଅକୁ ଡାଇରିଆ ହେଇଥିଲା, ଡାକ୍ତରଖାନାରେ ଭଲ ହେବ କଣ ଓଲଟି ଚାଲିଗଲା

ଚାନ୍ଦବାଲି (କେନ୍ୟୁଜ) : ପୁଅ ଭଲ ପାଠ ପଢ଼ୁଥିଲା । ପୁଅକୁ ନେଇ ମାଆ ବାପାଙ୍କର ଥିଲା ଅନେକ ଆଶା । ଖାଲି ପାଠ ନୁହେଁ ଖେଳରେ କୁଇଜରେ ଓ ଡ୍ରଇଂରେ ବି ସେ ନିପୁଣ ଥିଲା । ଏଇ ଦେଖୁ ନାହାଁନ୍ତି କେମିତି ମଦର୍ସ ଡେ ରେ ମାଆକୁ ଡ୍ରଇଂ କରି ଦେଇଛି ହାପି ମଦର୍ସ ଡେ । କିନ୍ତୁ କିଏ ଜାଣିଥିଲା ଏମିତି ଦିନେ ହବ ବୋଲି ? ମାଆ ଏବେ ସମ୍ଭାଳି ପାରୁନି । ଗୋଟିଏ ବୋଲି ପୁଅ । ଅତି ଗେଲ ବସରରେ ୧୨ ବର୍ଷ ଧରି ବଢ଼ାଇଥିଲେ । ଦେହରେ ଧୂଳି ଟିକିଏ ଲଗାଇ ଦେଉନଥିଲେ । କିନ୍ତୁ ଆପଣ କୁହନ୍ତୁ ଏ ମାଆ କେମିତି ଏବେ ସମ୍ଭାଳି ହୋଇ ରହିବ । ଯେତେବେଳେ ଜାଣିବାକୁ ପାଇବ ଯେ ତା ପୁଅ ଡାକ୍ତରଖାନାରେ ଭଲ ହେବା ବଦଳରେ ସବୁଦିନ ପାଇଁ ଚାଲିଗଲା । ଏଠି ବି ଠିକ ସେହିଭଳି ଅବସ୍ଥା ହୋଇଛି ଏ ମାଆର । ଯେତେବେଳେ ଜାଣିଲା ତା ପୁଅ ଆଉ ଦୁନିଆରେ ନାହିଁ । ପାଦ ତଳୁ ଯେମିତି ମାଟି ଖସିଗଲା । ସବୁକିଛି ଯେମିତି ଅନ୍ଧାର ଦିଶିଲା ।

ଆଜ୍ଞା ଏ ଯେଉଁ ଦୃଶ୍ୟ ଆପଣ ଦେଖୁଛନ୍ତି ତାହା ହେଉଛି ଭଦ୍ରକ ଚାନ୍ଦବାଲିର । ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ଜଣେ ପିଲାଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଡାକ୍ତରଙ୍କ ନାଁରେ ଚାନ୍ଦବାଲି ଥାନାରେ ମାଆ ଓ ବାପା ଲିଖିତ ଅଭିଯୋଗ କରିଛନ୍ତି । ପୁଅ କେମିତି ମଲା ଆଉ କାହିଁକି ଏବଂ କେଉଁ ପରିସ୍ଥିତିରେ ମଲା ଆମକୁ କଇଫତ ଦରକାର । ଆମକୁ ନ୍ୟାୟ ଦରକାର । ମୋ ପୁଅକୁ ନ୍ୟାୟ ଦରକାର । ଏମିତି ସବୁ କହି ପୋଲିସ ନିକଟରେ କାନ୍ଦୁଛନ୍ତି ବାପା ମାଆ ।

ଆସନ୍ତୁ ଜାଣିବା ପୂରା ଘଟଣା । ଚାନ୍ଦବାଲି ଲକ୍ଷ୍ମୀନାରାୟଣ କଲୋନୀର ବାସିନ୍ଦା ପ୍ରତିମା ଦାସଙ୍କ ପୁଅ ଗତ ୩ ତାରିଖରେ ଡାଇରିଆରେ ଆକ୍ରାନ୍ତ ହୋଇଥିଲା । ତାକୁ ତୁରନ୍ତ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେ ଦାୟିତ୍ୱରେ ଥିବା ଆୟୁସ ଡାକ୍ତର ଚିକିତ୍ସା କରି ସାଲାଇନ୍‌ ଓ ଇଞ୍ଜେସନ ଲଗାଇଥିଲେ । ତେବେ ଏହାପରେ ପୁଅର ଦେହ ବେଶି ଖରାପ ହୋଇଗଲା । ତେଣୁ ଅନ୍ୟ ଜଣେ ଡାକ୍ତର ଦେଖି ପୁଣି ଏକ ଇଂଜେକସନ ଦେଇଥିଲେ । ବାପା ମାଆଙ୍କ ଅଭିଯୋଗ ହେଉଛି କି ପ୍ରଥମ ଡାକ୍ତର ଭୁଲ ଇଞ୍ଜେକସନ୍‌ ଦେଇଥିବା ଦ୍ୱିତୀୟ ଡାକ୍ତର କହିଥିଲେ । ଏପଟେ ପିଲାଟିର ଗୁରୁତର ଅବସ୍ଥା ଦେଖି ତାକୁ ତୁରନ୍ତ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର କହିଥିଲେ । ସେହିଠାରୁ ବାପା ମା ପିଲାଟି କଟକ ନେଇଗଲେ । କିନ୍ତୁ କଟକରେ ପହଁଚିବା ପରେ ବ୍ରେନ୍ ଡେଡ ଘୋଷଣା କରିଥିଲେ ଡାକ୍ତର ।

ଏହିି ଘଟଣାରେ ପରିବାର ଲୋକେ ହତବାକ୍‌ ହୋଇ ଯାଇଥିଲେ । ଏମିତି କେମିତି ପୁଅ ମରିଯିବ ? ବାର ବର୍ଷ ହେଲା ଯେଉଁ ପୁଅକୁ ବଢ଼େଇ କୁଢ଼େଇ ବଡ କରିଥିଲି, ସବୁ ଅଳି ଅର୍ଦ୍ଦଳି ସହିଥିଲି, ଆଜି ଡାକ୍ତରଙ୍କ ପାଇଁ କଣ ମୋ ପୁଅ ମରିଯିବ ? ଏଭଳି ଅଭିଯୋଗ କରି ବାପା, ମାଆ ଚାନ୍ଦବାଲି ଥାନାରେ ପହଁଚି ଦୁଇ ଡାକ୍ତରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏମିତିକି ହସ୍ପିଟାଲରେ ତାଙ୍କ ସହ ଦୁର୍ବ୍ୟବହାର ବି କରାଯାଇଥିବା ଜଣାଇଛନ୍ତି । ହସପିଟାଲ କର୍ମଚାରୀଙ୍କ ଦୁର୍ବ୍ୟବହାର ଓ ଡାକ୍ତରଙ୍କ ଅବହେଳା ପାଇଁ ଆଜି ମୋ ପୁଅ ମରିଛି ବୋଲି କହୁଛନ୍ତି ବାପା । ପୁଅ ମରିବାର ଦୁଃଖ ବାପା ମାଆଙ୍କୁ ଖୁବ୍‌ ଆଘାତ ଦେଇଛି । ତେବେ ଡାକ୍ତରଙ୍କ ଅବହେଳା ବା ଭୁଲ ଇଞ୍ଜେକସନ ମୃତ୍ୟୁର କାରଣ କି ନାହିଁ ତାର ତଦନ୍ତ ହେବା ଜରୁରୀ । ଅବଶ୍ୟ ଏ ନେଇ ଡାକ୍ତରମାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

 

Leave A Reply

Your email address will not be published.