ନୀଳମାଧବ ପୀଠର ବିକାଶ ପାଇଁ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଧନ୍ୟବାଦ ଜଣାଇଲେ କଣ୍ଟିଲୋବାସୀ

ନୟାଗଡ଼(କେନ୍ୟୁଜ୍): କଣ୍ଟିଲୋ ନୀଳମାଧବ ପୀଠର ବିକାଶ ପାଇଁ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକ ଅନୁମୋଦନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କଣ୍ଟିଲୋ ଅଞ୍ଚଳବାସୀ । ଏଥିପାଇଁ ଶହେ କୋଟି ଟଙ୍କା ଖର୍ଚ୍ଚ ହେବ । ସମନ୍ଵିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଜଗନ୍ନାଥ ସଂସ୍କୃତି ସହ ନୀଳମାଧବ ପୀଠର ନିବିଡ଼ ସଂପର୍କ ରହିଛି । ବିଶ୍ଵାସ କରାଯାଏ ଯେ ନୀଳମାଧବ ପୀଠ ବ୍ରହ୍ମାଦ୍ରୀ ପର୍ବତରେ ମହାପ୍ରଭୁ ନୀଳମଣି ଭାବରେ ଶବର ରାଜା ବିଶ୍ଵାବସୁଙ୍କ ଦ୍ଵାରା ପୂଜା ପାଉଥିଲେ । ମହାପ୍ରଭୁଙ୍କ ଏହି ଆଦି ରୂପକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ, ପର୍ଯ୍ୟଟକ ନୀଳମାଧବ ପୀଠକୁ ଆସିଥାନ୍ତି ।

ନୀଳମାଧବ ପୀଠର ବିକାଶ ପାଇଁ ଏକ ଶହକୋଟି ଟଙ୍କାର ପ୍ୟାକେଜ ଘୋଷଣା ପରେ ନୟାଗଡ଼ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଭରିଯାଇଛି । ମନ୍ଦିରର ଉନ୍ନତି ହେଲେ କଣ୍ଟିଲୋ ଅଞ୍ଚଳର ବିକାଶ ହେବ । ୬୫ ପରିବାରଙ୍କ ଘର ଉଚ୍ଛେଦ ହେବ । ସେମାନଙ୍କୁ ଉଚିତ ପ୍ରାପ୍ୟ ସହ ଥଇଥାନ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି । ନୟାଗଡ଼ ସଦର ମହକୁମାରୁ ୩୫ କିମି ଏବଂ ରାଜ୍ୟ ରାଜଧାନୀରୁ ଶହେ କିମି ଦୂରରେ କଣ୍ଟିଲୋ ରହିଛି । ଅଠର ମାସ ମଧ୍ୟରେ ମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ, ବିଭିନ ବିଭାଗ ପକ୍ଷରୁ ମାପଚୁପ ଆରମ୍ଭ ହୋଇଛି । ଚାପ ପୋଖରୀର ସଫେଇ କାର୍ଯ୍ୟ ଚାଲୁ ରହିଥିବାରୁ ଅଞ୍ଚଳବାସୀ ଖୁସି ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.