ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ମାମଲା: କ୍ରାଇମ୍ ସିନ୍ ଦେଖାଇବ କିଲର ଏସ୍ଆଇ
ଝାରସୁଗୁଡା (କେନ୍ୟୁଜ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ବ୍ରଜରାଜନରରେ କ୍ରାଇମ ସ୍ପଟ୍ରେ ତନାଘନା ଜୋରଦାର ହୋଇଛି । ଅନ୍ୟପଟେ ଅଭିଯୁକ୍ତ ଗୋପାଳ ଦାସର ବ୍ରହ୍ମପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ପହଞ୍ଚି ଖୋଳତାଡ କରିଛନ୍ତି । ଏବେ ରିମାଣ୍ଡରେ ଯିବ କିଲର୍ ଏଏସଆଇ ଗୋପାଳ ଦାସ । ତାକୁ ୪ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଝାରସୁଗୁଡ଼ା ଜେଏମଏଫସି ଆବାସିକ କୋର୍ଟ । ୭ ଦିନ ପାଇଁ ରିମାଣ୍ଡ ଆବେଦନ ହୋଇଥିଲା । ଗୋପାଳକୁ ରିମାଣ୍ଡରେ ନେଇ ଜେରା ପରେ ଖୋଲିବ ହତ୍ୟାର କାରଣ ? ତା ମୁହଁରୁ ଗୋଟି ଗୋଟି ସତ ବାହାର କରିବ କ୍ରାଇମବ୍ରାଞ୍ଚ ଟିମ୍ ।
କିଲର୍ ଏଏସଆଇ ଗୋପାଳ ଦାସକୁ ନେଇ କ୍ରାଇମ୍ ସ୍ପଟ୍ ଯିବ ତଦନ୍ତକାରୀ ଟିମ୍ । କେମିତି ଗୁଳି କଲା ? ଡେମୋ ଦେଖାଇବ ଅଭିଯୁକ୍ତ । ଗୋପାଳର ଉତ୍ତରରେ ତାଳମେଳ ରହୁନଥିବାରୁ ତାର ଲାଏ ଡିଟେକ୍ସନ ଟେଷ୍ଟ ବି କରାଯିବ ବୋଲି ସୂଚନା ମିଳିଛି । ଗତକାଲି କ୍ରାଇମ୍ ସ୍ପଟ୍ରେ ପହଞ୍ଚି ତନାଘନା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଡିଜିଟାଲ ସ୍କାନର ଲଗାଇ ଗୁଳିମାଡ଼ ହୋଇଥିବା ସ୍ଥାନରେ ଖୋଳତାଡ କରିଥିଲା । ନବ ଦାସଙ୍କ ଡ୍ରାଇଭର ଜଗତରାମ କିଶାନ ଓ ପିଏସଓ ମିତ୍ରଭାନୁ ଦେଓଙ୍କୁ ଏଡିଜି ଅରୁଣ ବୋଥ୍ରା ଓ କ୍ରାଇମବ୍ରାଞ୍ଚ ଟିମ୍ ପ୍ରାୟ ଦୁଇ ଘଣ୍ଟା ଧରି ଜେରା କରିଥିଲେ । ଡ୍ରାଇଭର ଓ ପିଏସଓ ସମେତ କିଛି ପ୍ରତ୍ୟକ୍ଷଦର୍ଶୀଙ୍କର ବୟାନ ରେକର୍ଡ ହୋଇଛି ।