ପୌର ନିର୍ବାଚନରେ ପ୍ରଥମ ଥର ପାଇଁ ନାମାଙ୍କନ ଦାଖଲ କଲେ କିନ୍ନର ତନୁଶ୍ରୀ, ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ କଲେ ଗିରିବାଳା ଓ ଶ୍ରୀତମ

କଟକ (କେନ୍ୟୁଜ): କଟକ ମହାନଗର ନିଗମ ର୍ନିବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ପଞ୍ଚମ ଦିନ ହୋଇ ଥିବା ବେଳେ ପୂର୍ବର ଦିନମାନଙ୍କ ତୁଳନାରେ ଆଜି ବହୁ ସଂଖ୍ଯକ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ସହ ପ୍ରଥମ ଥର ପାଇଁ ଜଣେ କିନ୍ନର ତନୁଶ୍ରୀ ବହୁ ସଂଖ୍ଯକ କିନ୍ନରଙ୍କ ସହ ଶୋଭାଯାତ୍ରାରେ ଆସି ସ୍ୱାଧୀନ ପ୍ରାର୍ଥୀ ଭାବେ ୩୮ ନମ୍ବର ୱାର୍ଡର କର୍ପୋରେଟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରି ର୍ନିବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଏହାରି ଭିତରେ ଆଜି କଂଗ୍ରେସର ମେୟର ପ୍ରାଥି ଗିରିବାଳା ବେହେରା ପ୍ରାର୍ଥୀ ପତ୍ର ଦାଖଲ କରି ଥିବା ବେଳେ ବିଜେପି ସିନେ ତାରକା ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି।

ତେବେ ପୂର୍ବ ୪ଦିନ ଖାଁ ଖାଁ ରହୁଥିବା ସିଏମସି କାର୍ଯ୍ଯାଳୟର ଆଖ ପାଖ ଅଞ୍ଚଳ ଆଜି ଲୋକାରଣ୍ଯରେ ପରିଣତ ହୋଇ ଯାଇଥିଲା। ପ୍ରାଥି ପତ୍ର ଦାଖଲ ସମୟରେ ଉଭୟ ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଶୋଭା ଯାତ୍ରା ଏବଂ ବାଜା ରୋଷଣୀ ସହିତ ସେମାନଙ୍କ ନାରାବାଜି ପୁରା ଅଞ୍ଚଳକୁ ପ୍ରକମ୍ପିତ କରିଥିଲା। ସକାଳ ୧୧ ଟା ରୁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସମୟ ର୍ନିଘଣ୍ଟ ହୋଇଥିବା ବେଳେ ସିଏମସି କାର୍ଯ୍ଯଳୟ ପରିସରରେ ସକାଳ ୧୦ରୁ ପ୍ରାଥି ମାନଙ୍କ ଭିଡ଼ ପରିଲକ୍ଷିତ ହୋଇ ଥିଲା। ଆଜି ବହୁ ସଂଖ୍ଯକ କର୍ପୋରେଟର ପ୍ରାଥି ବିଭିନ୍ନ ୱାର୍ଡ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୩୮ ନମ୍ବର ୱାର୍ଡ ରୁ ପ୍ରାଥି ପତ୍ର ଦାଖଲ କରିଛନ୍ତି ତନୁଶ୍ରୀ କିନ୍ନର। ଶତାଧିକ କିନ୍ନରଙ୍କ ଗହଣରେ ଶୋଭା ଯାତ୍ରା କରି ତନୁ ନିଜ ନାମାଙ୍କନ କରିଛନ୍ତି।