କିସ୍‌ ଆଦିବାସୀ ଅଭିଭାବକ ସଂଘର ମାସିକ ବୈଠକ, ଆସିଥିଲେ ୩୦ ଜିଲ୍ଲାରୁ ପ୍ରତିନିଧି ଓ ଅଭିଭାବକ

ଭୁବନେଶ୍ବର : କିସ୍‌ ଆଦିବାସୀ ଅଭିଭାବକ ସଂଘର ମାସିକ ବୈଠକ କିସ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି । କିସ୍‌ରେ ସେମାନଙ୍କ ପିଲାମାନେ ଖୁବ୍‌ ଭଲରେ ଥିବା ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥି ସହିତ କିସ୍‌ର ପରିବର୍ଦ୍ଧିତ ଭିତ୍ତିଭୂମି ବୁଲି ଦେଖିଥିଲେ ସଦସ୍ୟ । ଦିନକୁ ଦିନ କିସ୍‌ ଉନ୍ନତି ପଥରେ ଆଗେଇ ଚାଲିଛି । ଏ ଦିଗରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିଃସ୍ୱାର୍ଥ ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି ଅଭିଭାବକ ।

ରବିବାର ହୋଇଥିବାରୁ କିସ୍‌ ପାକଶାଳା ଥିଲା ବେଶ୍‌ ଚଳଚଞ୍ଚଳ । ପିଲାଙ୍କ ପାଇଁ ଭଳିକି ଭଳି ରାନ୍ଧଣାରେ ଲାଗିଥିଲେ ପାକଶାଳା କର୍ମଚାରୀ । ଚିକେନ୍‌ କଷା, ଆଳୁଦମ୍‌ ଇତ୍ୟାଦି ତିଆରି ଚାଲିଥିଲା । ଅଭିଭାବକ ସଂଘର କର୍ମକର୍ତ୍ତା ପାକଶାଳାରେ ଏକାସାଙ୍ଗରେ ୫ ହଜାର ଇଡ୍‌ଲି ବାହାରୁଥିବା ମେସିନ୍‌ ନୂଆକରି ଲାଗିଥିବାରୁ ଖୁବ୍‌ କୌତୁହଳ ସହ ତାକୁ ଦେଖିଥିଲେ । ଏଥି ସହିତ ସେଓ ତିଆରି କରିବା ମେସିନ୍‌ ଓ ମୁଢି ଓ ମିକ୍ସର ମେସିନ୍‌ କିଭଳି କାମ କରୁଛି ତାକୁ ବି ଦେଖି ଖୁସି ହୋଇଥିଲେ । ତା ସହିତ ବେକେରୀ ବି ବୁଲି ଦେଖିଥିଲେ ।

ବିଶ୍ୱସ୍ତରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ କିସ୍‌ର ଭିତ୍ତିଭୂମି ପ୍ରତିବର୍ଷ ପରିବର୍ଦ୍ଧିତ ହେଉଛି । ବିଶ୍ୱରେ କିସ୍‌ ଛାତ୍ରଛାତ୍ରୀ ପାଠପଢ଼ା ଠାରୁ ଆରମ୍ଭ କରି ଖେଳକୁଦ ସବୁ ବିଷୟରେ ନିଜର ପରିଚିତି ସୃଷ୍ଟି କରିବା କମ୍‌ କଥା ନୁହେଁ ବୋଲି କହିଛନ୍ତି ଅଭିଭାବକ । ତା ସହିତ କିସ୍‌ର ଗୁଣାତ୍ମକ ଶିକ୍ଷା ପିଲାମାନଙ୍କୁ ମଣିଷ ଭଳି ମଣିଷ କରିପାରିଛି ବୋଲି ମୁକ୍ତକଣ୍ଠରେ ସ୍ୱୀକାର କରିଥିଲେ ସଂଘ କର୍ମକର୍ତ୍ତା । ଏ ସବୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିଷ୍ଠାପର ଓ ନିରନ୍ତର ଉଦ୍ୟମରୁ ସମ୍ଭବ ହୋଇଥିବା କହିଛନ୍ତି ଅଭିଭାବକ ।

ରାଜଧାନୀ ଭୁବନେଶ୍ୱରରେ ୨୭ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ରହିବା, ଖାଇବା ଓ ପାଠ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ହଜାର ହଜାର ବନବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିପାରିଛି ।

Leave A Reply

Your email address will not be published.