କନ୍ଧମାଳରେ ଖୋଲିଲା ବିକାଶର ବାଟ, କିସ୍‌ ଓ ଏମ୍‌ଡିଏଚ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : କିସ୍ ଓ ଏମ୍‌ଡିଏଚ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ । କନ୍ଧମାଳରେ ଖୁବ୍ ଶୀଘ୍ର ଖୋଲିବ କିସ୍‌ର ଶାଖା । ଭାରତର ପ୍ରସିଦ୍ଧ ମସଲା ଉତ୍ପାଦନକାରୀ କମ୍ପାନୀ ଏମ୍‌ଡିଏଚ୍‌ ଓ କିସ୍ ସହଯୋଗରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଖୁବ୍ ଶୀଘ୍ର କିସ୍‌ର ଶାଖା ଖୋଲିବାକୁ ଯାଉଛି । ଏ ନେଇ ଆଜି ନୂଆଦିଲ୍ଲୀଠାରେ କିସ୍ ଓ ଏମ୍‌ଡିଏଚ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ଏମ୍ଡିଏଚ୍ ମସଲା ପକ୍ଷରୁ ଏହାର ଅଧ୍ୟକ୍ଷ ପଦ୍ମଶ୍ରୀ ମହାଶୟ ଧର୍ମପାଳ ଗୁଲାଟୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।

ବର୍ଷକ ମଧ୍ୟରେ ପ୍ରତିଷ୍ଠା ହେବ କିସ୍‌ର ଶାଖା

ବୁଝାମଣା ଅନୁସାରେ କନ୍ଧମାଳ-କିସ୍ ପାଇଁ ଏମ୍ଡିଏଚ୍ ପକ୍ଷରୁ ସମସ୍ତ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ । ଏ ନେଇ ପୂର୍ବରୁ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଶ୍ରୀ ଗୁଲାଟୀଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ ଶ୍ରୀ ଗୁଲାଟୀ ଏଥିରେ ସମ୍ମତି ପ୍ରକାଶ କରିବା ପରେ ଆଜି ନୂଆଦିଲ୍ଲୀରେ ଥିବା ଏମ୍‌ଡିଏଚ୍‌ କାର୍ଯ୍ୟାଳୟଠାରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । କନ୍ଧମାଳ-କିସ୍‌ରେ ଜିଲ୍ଲାର ୩ରୁ ୪ହଜାର ଗରିବ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ । ଏହି ଅବସରରେ ଶ୍ରୀ ସାମନ୍ତ, ଶ୍ରୀ ଗୁଲାଟୀଙ୍କୁ କୃତଜ୍ଞତା ଜଣାଇବା ସହ କନ୍ଧମାଳ-କିସ୍ ସକାଶେ ଜମି କ୍ରୟ ସରିଛି ବୋଲି ସୂଚନା ଦେଇଛନ୍ତି। ଏକ ବର୍ଷ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସରିବା ପରେ ଛାତ୍ରଛାତ୍ରୀଙ୍କୁ ନିଆଯିବ ।

MOUଶହେ ଶଯ୍ୟାର ହସପିଟାଲ

ଏହା ସହିତ ଏମ୍‌ଡିଏଚ୍‌ ପକ୍ଷରୁ ଏଠାରେ ମଧ୍ୟ ଶହେ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ୍ ଖୋଲାଯିବ । କନ୍ଧମାଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର କିପରି ବିକାଶ ହୋଇପାରିବେ ସେ ଦିଗରେ ବ୍ୟକ୍ତିଗତ ଭାବେ ମୁଁ ମଧ୍ୟ ଚେଷ୍ଟା କରୁଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏଥିପାଇଁ ସହାୟତା ଯୋଗାଇ ଦେବା ସକାଶେ ଶ୍ରୀ ସାମନ୍ତ, ଶ୍ରୀ ଗୁଲାଟୀଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ସାମନ୍ତଙ୍କ ଅନୁରୋଧ ଅନୁସାରେ କନ୍ଧମାଳର ୩ଟି ସ୍ଥାନରେ ଏମଡିଏଚ୍ ମସଲାର ୩ଟି ୟୁନିଟ୍ ଖୋଲିବା ସହ ସ୍କୁଲ୍ ଓ ଡାକ୍ତରଖାନା ଖୋଲିବା ନେଇ ଶ୍ରୀ ଗୁଲାଟୀ ସମ୍ମତି ଜଣାଇଥିଲେ ।
ଏହା ବ୍ୟତୀତ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିଠାରେ ୧୦୦ କୋଠରୀ ବିଶିଷ୍ଟ ଏକ ହୋଟେଲ୍ ତଥା ରିସର୍ଟ ଖୋଲିବା ପାଇଁ ଏମ୍‌ଡିଏଚ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଫଳରେ କନ୍ଧମାଳରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟି ପାରିବ ବୋଲି ଡ. ସାମନ୍ତ କହିଛନ୍ତି । ଏ ନେଇ ଏମ୍‌ଡିଏଚ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି । ଏହି ଅବସରରେ ଶ୍ରୀ ଗୁଲାଟୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଦେଶରେ ବିଶେଷ କରି ଜନଜାତି ଅଧ୍ୟୁଷି ତ ଅଞ୍ଚଳରେ ଯେତେ ଅଧିକରୁ ଅଧିକ କାର୍ଯ୍ୟ କରାଯାଇପାରେ ତାହା କରାଯିବା ଉଚିତ । ଏହା ପୂର୍ବରୁ ସେ ଭାରତର ବିଭିନ୍ନ ସ୍ଥାନରେ ସ୍କୁଲ୍ ପ୍ରତିଷ୍ଠା କରି ଶିକ୍ଷାର ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି । ଓଡ଼ିଶାରେ କିସ୍ ସହ ମିଶି ଶିକ୍ଷାର ବିକାଶ କରିବାର ସୁଯୋଗ ମିଳିଥିବାରୁ ଏହା ଆଉ ଏକ ଅଧ୍ୟାୟ ଯୋଡ଼ି ହେଲା ବୋଲି ସେ କହିଛନ୍ତି ।

ଏହି ଅବସରରେ ଡ. ସାମନ୍ତ ଓଡ଼ିଶାବାସୀ ତଥା କନ୍ଧମାଳବାସୀଙ୍କ ତରଫରୁ ଶ୍ରୀ ଗୁଲାଟୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଡିଏଚ୍‌ କମ୍ପାନୀର ଆର୍ଥିକ ପରାମର୍ଶଦାତା ବିନୋଦ କୁମାର ବିନ୍ଦଲ, ବିନୟ କୁମାର ଓ ଗୁଲାଟୀଙ୍କ କନ୍ୟା ମଧ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.