କନ୍ଧମାଳ ଜିଲ୍ଲା ହେବ ଟିବି ମୁକ୍ତ, ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କଲା କିସ୍ ଫାଉଣ୍ଡେସନ୍

ଭୁବନେଶ୍ବର(କେନ୍ୟୁଜ୍): ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ ‘ଟିବି ହାରେଗା ଦେଶ ଜିତେଗା’ । ଏବେ ବିଭିନ୍ନ ରାଜ୍ୟରେ ଟିବି ନିରାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଯକ୍ଷ୍ମା ମୁକ୍ତ ଅଭିଯାନରେ ସାମିଲ ହୋଇ କନ୍ଧମାଳ ସାଂସଦ ତଥା କିସ୍‌ ଫାଉଣ୍ଡେସନ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କନ୍ଧମାଳ ଜିଲ୍ଳାକୁ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରି କନ୍ଧମାଳ ଜିଲ୍ଲାକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି । ସୋମବାର ସାଂସଦ ଅଚ୍ୟୁତ ସାମନ୍ତ ଏହି ଜିଲ୍ଲାର ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ସହାୟତା ‘ଖାଦ୍ୟ ବାସ୍କେଟ’ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଖାଦ୍ୟ ବାସ୍କେଟରେ ପ୍ରତିମାସ ବୟସ୍କ ରୋଗୀଙ୍କ ପାଇଁ ୩ କିଲୋ ଶସ୍ୟ ଓ ବାଜରା ଦିଆଯାଉଥିବା ବେଳେ ପିଲାଙ୍କ ପାଇଁ ୨ କିଲୋ ଶସ୍ୟ ଓ ବାଜରା, ବୟସ୍କ ଓ ପିଲାଙ୍କ ପାଇଁ ଯଥାକ୍ରମେ ୧.୫କିଲୋ ଓ ୧ ଡାଲି, ୨୫୦ ଗ୍ରାମ ଓ ୧୫୦ ଗ୍ରାମ ପନିପରିବା, ରନ୍ଧନ ତେଲ, ୧ କିଲୋ ଓ ୭୫୦ ଗ୍ରାମ ଚିନାବାଦାମ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀଠାରେ କନ୍ଧମାଳ ଜିଲ୍ଲାର ୬ଟି ବ୍ଲକ୍‌ ଓ ବାଲିଗୁଡ଼ାଠାରେ ଜିଲ୍ଲାର ଆଉ ୬ଟି ବ୍ଲକର ୩୯ଜଣ ଶିଶୁଙ୍କ ସମେତ ମୋଟ ୬୦୬ ଜଣ ଟିବି ରୋଗୀଙ୍କୁ ପୋଷକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରତିମାସ ଏହି କାର୍ଯ୍ୟକ୍ରମ ଜାରି ରହିବ ।

ପୋଷକ ଖାଦ୍ୟ ବଣ୍ଟନ ବାବଦରେ ଜିଲ୍ଲାର ସମସ୍ତ ରୋଗୀଙ୍କ ପାଇଁ ମାସିକ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ । ୬ମାସରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ଏବଂ ଏଥିପାଇଁ ମୋଟ ୪୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ । ଏବାବାଦ ସମସ୍ତ ଖର୍ଚ୍ଚ ମଧ୍ୟ କିସ୍‌ ଫାଉଣ୍ଡେସନ୍‌ ବହନ କରିବ ବୋଲି ଡ. ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ ପଟ୍ଟନାୟକ ଏବଂ ଜିଲ୍ଲା ଏଡିପିଏଚ୍‌ଓ (ଟିବି) ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.