ଲାଲୁଙ୍କଠାରେ ଲାଗିଲା ଝିଅ ରୋହିଣୀ ଆଚାର୍ଯ୍ୟଙ୍କ କିଡ୍‌ନୀ; ଦୁଇଜଣ ଏବେ ଆଇସିୟୁରେ, ପୁଅ ତେଜସ୍ୱୀ ସେୟାର କଲେ ଭିଡିଓ

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଆଜି ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି। ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବାପାଙ୍କୁ କିଡନୀ ଦାନ କରିଛନ୍ତି। ଲାଲୁଙ୍କ ପୂର୍ବରୁ ରୋହିଣୀଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଟ୍ୱିଟରରେ ଭିଡିଓ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି।

ବିହାରର ଡେପୁଟି ସିଏମ୍ ତଥା ଲାଲୁ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ ଟ୍ୱିଟ୍ କରି କହିଛନ୍ତି, ‘ବାପାଙ୍କ କିଡନୀ ପ୍ରତିରୋପଣ ଅପରେସନ ସଫଳତାପୂର୍ବକ ସରିବା ପରେ ତାଙ୍କୁ ଅପରେସନ ଥିଏଟରରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଡୋନର ବଡ଼ ଭଉଣୀ ରୋହିଣୀ ଆଚାର୍ଯ୍ୟ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଭୟ ସୁସ୍ଥ ଅଛନ୍ତି। ଆପଣଙ୍କର ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ’।

କହି ରଖୁଛୁ, ଲାଲୁଙ୍କର ୭ ଝିଅ ଏବଂ ୨ ପୁଅଙ୍କ ମଧ୍ୟରେ ରୋହିଣୀ ହେଉଛନ୍ତି ଦ୍ୱିତୀୟ ନମ୍ବର ଝିଅ। ହସ୍ପିଟାଲ ଯିବା ପୂର୍ବରୁ ରୋହିଣୀ ନିଜର ଭାବନାକୁ ବ୍ୟକ୍ତି କରି କହିଥିଲେ, ‘ସାଧାରଣ ଜନତାଙ୍କ ପାଇଁ ଲାଲୁ ପ୍ରସାଦଙ୍କୁ ସୁସ୍ଥ ରଖିବା ଜରୁରୀ। ଏଥିପାଇଁ ସେ ଏପରି ସାହସିକ ନିଷ୍ପତ୍ତି ନେଲେ’। ଏହାପୂର୍ବରୁ ବଡ଼ ଝିଅ ମିସା ଭାରତୀ ଟ୍ଵିଟ୍‌ କରି କହିଥିଲେ, ‘ସାନ ଭଉଣୀ ରୋହିଣୀଙ୍କ ଅପରେସନ ସଫଳ ହୋଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏବେ ଆଇସିୟୁରେ ଅଛନ୍ତି। ବର୍ତ୍ତମାନ ବାପାଙ୍କ ଅପରେସନ ଚାଲିଛି’।

ରୋହିଣୀ ହସ୍ପିଟାଲ ଯିବାର କିଛି ଘଣ୍ଟା ପୂର୍ବରୁ ଲାଲୁ ପ୍ରସାଦଙ୍କ ପ୍ରତି ଥିବା ନିଜର ଭାବନାକୁ ପରିପ୍ରକାଶ କରିଥିଲେ। ସେ ଲେଖିଥିଲେ କି, ‘ସେ ଭଗବାନଙ୍କୁ ଦେଖି ନାହାନ୍ତି, କିନ୍ତୁ ଈଶ୍ୱରଙ୍କ ରୂପରେ ବାପାଙ୍କୁ ଦେଖିଛନ୍ତି’। ତେବେ ଏଥିପୂର୍ବରୁ ରୋହିଣୀଙ୍କର ପ୍ରାଥମିକ ମେଡିକାଲ ଯାଞ୍ଚ ହୋଇଥିଲା। ତାଙ୍କ କିଡ୍‌ନୀ ୯୦ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ କାମ କରୁଛି। ଲାଲୁଙ୍କ ଉଭୟ କିଡ୍‌ନୀ ୨୮ ପ୍ରତିଶତ କାମ କରୁଛି। ପ୍ରତିରୋପଣ ପରେ ଏହା ପାଖା ପାଖି ୭୦ ପ୍ରତିଶତ କାମ କରିବାକୁ ଲାଗିବ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହାକୁ ଯଥେଷ୍ଟ ବୋଲି ଗଣାଯାଏ। ସେପଟେ ରାବଡ଼ି ଦେବୀ ଓ ମିସା ଭାରତୀ ପୂର୍ବରୁ ହିଁ ସିଙ୍ଗାପୁରରେ ଅଛନ୍ତି। ଲାଲୁଙ୍କର ସିଙ୍ଗାପୁରସ୍ଥିତ ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ କିଡନୀ ପ୍ରତିରୋପଣ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.