ହକି ବିଶ୍ୱକପ୍‌ ଟ୍ରଫିର ଯାତ୍ରା ଆରମ୍ଭ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଶୁଭାରମ୍ଭ

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତା ମାସ ଓଡ଼ିଶାରେ ଆୟୋଜିତ ହେବ ବିଶ୍ୱର ସବୁଠାରୁ ବଡ଼ ହକି ଇଭେଣ୍ଟ ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ । ଏହା ମେଗା ଟୁର୍ଣ୍ଣାମେଣ୍ଟର ଆଜି ଟ୍ରଫି ଟୁର ଆରମ୍ଭ ହୋଇଛି । ଯାହାର ଶୁଭାରମ୍ଭ କରିଛନ୍ତି କ୍ରୀଡ଼ାପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ହକି ଇଣ୍ଡିଆର ସଭାପତି ଓଡ଼ିଶାର ଗୌରବ ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ତିର୍କିଙ୍କୁ ବିଶ୍ୱ କପ୍‌ ଟ୍ରଫି ପ୍ରଦାନ କରିଛନ୍ତି । ଆଜି ଠାରୁ ଏହି ବିଶ୍ୱକପ୍‌ ଟ୍ରଫି ବିଭିନ୍ନ ରାଜ୍ୟକୁ ଯାତ୍ରା କରି ପ୍ରତିଯୋଗିତା ପୂର୍ବରୁ ଓଡ଼ିଶାକୁ ଫେରି ଆସିବ ।
ଟ୍ରଫି ଯାତ୍ରାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ୱ କପ୍‌ର ସଫଳତାକୁ ନେଇ ଆଶା ପ୍ରକାଶ କରିଛନ୍ତି । ଏହା ସହିତ ଟ୍ରଫି ଯାତ୍ରା ହକି ପ୍ରେମୀଙ୍କ ମଧ୍ୟରେ ଆହୁରି ଉତ୍ସାହ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଆଗାମୀ ହକି ବିଶ୍ୱକପ୍‌ରେ ୧୬ଟି ଟିମ୍‌ ଭାଗ ନେବେ । ଉଭୟ ଦଶକ ଏବଂ ଅଂଶଗ୍ରହଣକାରୀ ଟିମ୍‌ଗୁଡ଼ିକ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଅତ୍ୟନ୍ତ ସ୍ମରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆସନ୍ତା ଜାନୁଆରି ୧୩ ତାରିଖରୁ ହକି ବିଶ୍ୱ କପ୍‌ ଓଡ଼ିଶାରେ ଆରମ୍ଭ ହେବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଏବଂ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ । ଜାନୁଆରୀ ୨୯ ତାରିଖରେ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ହକି ବିଶ୍ୱକପ୍‌ ଟ୍ରଫି ଭାରତର ୧୩ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଡିସେମ୍ବର ୨୫ ତାରିଖରେ ପୁଣି ଓଡ଼ିଶାକୁ ଫେରି ଆସିବ ।

ଏହି ରାଜ୍ୟଗୁଡ଼ିକ ହେଲା ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ପଞ୍ଜାବ, ହରିଆଣା, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଏବଂ ଛତିଶଗଡ଼ । ଏସବୁ ରାଜ୍ୟରୁ ଫେରିବା ପରେ ବିଶ୍ୱକପ୍‌ ଟ୍ରଫି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ବୁଲିବ । ବିଶେଷ କରି ହକିର କ୍ରେଜ୍‌ ଥିବା ସୁନ୍ଦରଗଡ଼ର ୧୭ଟି ବ୍ଲକ୍‌ରେ ଏହି ଟ୍ରଫି ଭ୍ରମଣ କରିବ । ଶେଷ ପର୍ଯ୍ୟାୟରେ ଏହା ରାଉରକେଲାରେ ବୁଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌କୁ ଫେରିବ ।

ଆଜିର ଟ୍ରଫି ଟୁର୍‌ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ମହାସଚିବ ଭୋଳାନାଥ ସିଂହ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.