କିସ୍‌ ଛାତ୍ରୀ ସଂଯୁକ୍ତା ସିଂହଙ୍କ କମାଲ, ଆମେରିକାରେ ଉଚ୍ଚଶିକ୍ଷା ପାଇଁ ହେଲେ ମନୋନୀତ

କିସ୍‌ର ମେଧାବୀ ଛାତ୍ରୀ ସଂଯୁକ୍ତା ସିଂହ । ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ  ୮୦ ପତିଶତ ନମ୍ବର ରଖି ପାସ୍‌ କରିଛନ୍ତି । ନିକଟରେ ହାଇଦ୍ରାବାଦସ୍ଥିତ ଆମେରିକାନ କନସୁଲ ଦ୍ୱାରା ମନୋନୀତ ହୋଇ ଆମେରିକାର ଟେକସାସ ସହରସ୍ଥିତ ଫ୍ଲୁଜରଭିଲେର ୱେଇସ ହାଇସ୍କୁଲରେ ଉଚ୍ଚଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ସଂଯୁକ୍ତା । ଗୋଟିଏ ବର୍ଷ ପାଇଁ ସେ ସେଠାରେ ସଂପୂର୍ଣ୍ଣ ମେଧାବୃତ୍ତି ପାଇ ଉଚ୍ଚଶିକ୍ଷା ଲାଭ କରିବେ । ଏଥିପାଇଁ ଆମେରିକା ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ।

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ନୂଆପାଢି ଗାଁର ସ୍ୱର୍ଗତ ମନା ସିଂହଙ୍କ କନ୍ୟା ହେଉଛନ୍ତି ସଂଯୁକ୍ତା । ଦାରିଦ୍ର ଯୋଗୁଁ ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିବା ସଂଯୁକ୍ତାଙ୍କ ମା’ ସୁକାନ୍ତି, ସଂଯୁକ୍ତାଙ୍କୁ ପାଠ ପଢାଇବା ଅସମ୍ଭବ ହୋଇଥିଲା । କିସ ସଂପର୍କରେ ଜାଣି ସୁକାନ୍ତି ୨୦୧୧ ମସିହାରେ କିସ୍‌ରେ ୩ୟ ଶ୍ରେଣୀରେ ସଂଯୁକ୍ତାଙ୍କ ନାମ ଲେଖାଇଥିଲେ । ଶ୍ରୋଣୀରେ ତାଙ୍କ ପାଠପଢା ପ୍ରତି ଆଗ୍ରହ ଦେଖି କସ୍‌ କର୍ତୃପକ୍ଷ ସେହିଦିନ ଠାରୁ ତାଙ୍କର ଯତ୍ନ ନେଇ ଆସୁଥିଲେ ।

ଏଏଫଏସ ଇଂଟରକଲଚରାଲ ପ୍ରୋଗ୍ରାମ ଆନୁକୁଲ୍ୟରେ ଚାଲୁଥିବା କେନେଡି ଲୁଗାର ୟୁଥ ଏକଚେଞ୍ଜ ଆଣ୍ଡ ଷ୍ଟଡି ପ୍ରୋଗ୍ରାମରେ ସଂଯୁକ୍ତା ଶେଷରେ ନିଜକୁ ପ୍ରତିପାଦିତ କଲେ । ଏଥିପାଇଁ ଅନେକ ଗୁଡିଏ ଲିଖିତ ଓ ମୌଖିକ ପରୀକ୍ଷା ଭଳି କ୍ୱାଲିଫାଇଁ ରାଉଣ୍ଡର ସମ୍ମୁଖୀନ ହୋଇ ସଫଳ ହେଲେ । କିସ୍‌ କର୍ତୃପକ୍ଷ ପ୍ରାଗାଢ ଚେଷ୍ଟା କରି ଏଭଳି ପିଲାମାନଙ୍କୁ ଆମେରିକା ପଠାଇ ପାରୁଛନ୍ତି । ଏହା ଜନଜାତି ପିଲାଙ୍କ ପାଇଁ ଗୌରବ ।

ସଂଯୁକ୍ତାଙ୍କ ସଫଳତାରେ ଆତ୍ମ ସନ୍ତୋଷ ପ୍ରକାଶ କରି କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି ଗରିବ ଓ ପିତୃ ମାତୃହୀନ ଜନଜାତି ଛାତ୍ରଛାତ୍ରୀ ମାନେ ଯେ ପୃଥିବୀ ପରିକ୍ରମା କରିପାରିବେ, ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସଂଯୁକ୍ତା । ସଂଯୁକ୍ତା ଆଜି କିସ୍‌ ସହ ସମଗ୍ର ଜନଜାତିବର୍ଗ ପାଇଁ ଗୌରବ ହୋଇପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.