କୋଦଳା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ମାମଲା: ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ଜେଲରେ ଥିବା ଜଣେ ଵିଚାରଧୀନ କଏଦୀଙ୍କ ମୃତ୍ୟୁ ମାମଲାର ଶୁଣାଣି କରି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ୪ ସପ୍ତାହ ମଧ୍ୟରେ ଏହି କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ ୨୦୧୮ ସେପ୍ଟେମ୍ବର ୭ ତାରିଖରୁ ଅର୍ଥାତ ମାମଲା ଦାୟର ଦିନ ଠାରୁ ବାର୍ଷିକ ୬ ପ୍ରତିଶତ ସୁଧ ସହିତ ଅର୍ଥରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ଗଞ୍ଜାମ ଜିଲ୍ଲାର କେ କୁମାରୀ ପାତ୍ରଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

୨୦୧୫ ମସିହା ସେପ୍ଟେମ୍ବର ୨୩ ତାରିଖରେ ଏକ ଅବକାରୀ ମାମଲାରେ ଗିରଫ ହୋଇ କେ ଦଣ୍ଡପାଣି ପାତ୍ର କୋଦଳା ଜେଲରେ ରହିଥିଲେ। ଜେଲରେ ଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ସେପ୍ଟେମ୍ବର ୨୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦଣ୍ଡପାଣିଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ, ଗିରଫ ବେଳେ ଦଣ୍ଡପାଣି ଜ୍ୱରରେ ପୀଡିତ ଥିଲେ। ଗିରଫର ପରଦିନ ତାଙ୍କୁ ଚିକିତ୍ସା ପାଇଁ ତାଙ୍କ ପତ୍ନୀ ନିବେଦନ କରିଥିଲେ ମଧ୍ୟ ତାହା କରାଯାଇ ନଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଥିଲେ। ବିଚାରଧୀନ ବନ୍ଦୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାର ଦାୟିତ୍ୱ ଜେଲ କର୍ତ୍ତୃପକ୍ଷଙ୍କର ହୋଇଥିବା ବେଳେ ଏଥିରେ ଅବହେଳା ହୋଇଥିବାରୁ ଦଣ୍ଡପାଣିଙ୍କ ପରିବାର କ୍ଷତିପୂରଣ ପାଇବାକୁ ହକଦାର ବୋଲି ଓଡିଶା ହାଇକୋର୍ଟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.