ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ଧଅଁରାଭଟା ଗାଁରେ ଚିତାବାଘ ଆତଙ୍କ, ଗୁହାଳରେ ପଶି ବଳଦକୁ ଟାଣି ନେଇ ଖାଇଦେଲା!

ନୂଆପଡା(କେନ୍ୟୁଜ୍): ନୂଆପଡା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ଧଅଁରାଭଟା ଗାଁରେ ଚିତାବାଘ ଆତଙ୍କ ଦେଖାଦେଇଛି। ଗତ ଶୁକ୍ରବାର ଦିନ ରାତିରେ ଚିତାବାଘ ଧଅଁରାଭଟା ଗାଁର ଭୋକ ଜଗତଙ୍କ ଗୁହାଳରେ ପଶି ଗୋଟିଏ ବଳଦକୁ ଟାଣି ନେଇ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। କୋମନା ବନବିଭାଗର ଏକ ଟିମ୍‌ ଧଅଁରାଭଟା ଗାଁରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ।

ମୃତ ବଳଦର ଶବକୁ ପୋଷ୍ଟମର୍ଟମ କରିବା ପରେ ମାଟିରେ ଗାତ ଖୋଳି ପୋତି ଦେଇଛନ୍ତି। ଏପରିକି କଲରାପତରିଆ ବାଘର ଗତିବିଧି ଉପର ନଜର ରଖିବା ପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ଖଞ୍ଜାଯାଇଛି। ଏହି ଟ୍ରାପ୍‌ କ୍ୟାମେରାରେ ଏକ କଲରାପତରିଆ ବାଘର ଚିତ୍ର ଉତ୍ତୋଳନ ହୋଇଥିବା ବେଳେ ବଳଦକୁ ଚିତାବାଗ ମାରି ଖାଇଥିବା ସ୍ପଷ୍ଟ କରିଛନ୍ତି ଖଡିଆଳ ବନବିଭାଗ ଡିଏଫ୍‌ଓ ସୁଶୀଲ କୁମାର ତ୍ରିପାଠୀ।

ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଧଅଁରାଭଟା ଗାଁ ସମେତ ଆଖପାଖ ଗାଁ ଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା ଜଙ୍ଗଲ ଅଞ୍ଚଳକୁ ନଯିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରିବା ସହ ରାତ୍ରି ସମୟରେ ଘରେ ତାଟିକବାଟ ଦେଇ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ଖଡିଆଳ ବନବିଭାଗ ଡିଏଫ୍‌ଓ ସୁଶୀଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.