ପ୍ରଥମାଷ୍ଟମୀ ଭାର ନେଇ ଝିଅ ଘରକୁ ଯାଇଥିବା ଶ୍ୱଶୁରଙ୍କୁ ହତ୍ୟା କରିଥିଲା ଜ୍ୱାଇଁ, ମିଳିଲା ଆଜୀବନ କାରାଦଣ୍ଡ

ବାରିପଦା (କେନ୍ୟୁଜ୍‌) : ଶ୍ଵଶୁରଙ୍କୁ ହତ୍ୟା ମାମଲାରେ ଜ୍ଵାଇଁକୁ ଆଜୀବନ ଜେଲ। ଜ୍ଵାଇଁ ସହ ଜ୍ଵାଇଁର ସାନଭାଇକୁ ମଧ୍ୟ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ମୟୁରଭଞ୍ଜ ଏଡିଜେ୧ କୋର୍ଟ ।

ବହୁ ଚର୍ଚ୍ଚିତ ବୈସିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପୁର ଗ୍ରାମର ୫୦ ବର୍ଷ ବୟସ୍କ ରମେଶ ସିଂଙ୍କୁ ହତ୍ୟା ଘଟଣାରେ ଜ୍ୱାଇଁ ରାଜୁ ସିଂ ଓ ତାଙ୍କ ସାନ ଭାଇ ଲବ ସିଂଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ-୧ ସୁରେଶ ଚନ୍ଦ୍ର ପ୍ରଧାନ ଏହି ଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ କରିଛନ୍ତି ।

ରମେଶଙ୍କ ଝିଅ ସଂଯୁକ୍ତା ସିଂଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା ରୁଜୁ ହୋଇଥିଲା । ଗତ ୨୦୨୦ ମସିହା ଡିସେମ୍ବର ମାସ ୭ ତାରିଖରେ ଘଟିଥିଲା ଏହି ହତ୍ୟା ଘଟଣା । ଝିଅ ସଂଯୁକ୍ତା ଘରକୁ ପ୍ରଥମାଷ୍ଟମୀ ଭାର ନେଇ ଆସିଥିଲେ ବାପା । ସଂଯୁକ୍ତକୁ ଭାର ଦେବା ପରେ ପାଖରେ ରହୁଥିବା ବଡ଼ ଝିଅ ରମେଶ ଯାଇଥିଲେ । ମାତ୍ର କିଛି ସମୟ ପରେ ଚିତ୍କାର ଶୁଣିବାକୁ ପାଇ ସାନ ଝିଅ ସଂଯୁକ୍ତା ଦୌଡ଼ି ଯାଇଥିଲେ ବଡ଼ ଭଉଣୀ ଘରକୁ । ଦେଖିବା ବେଳକୁ ତାଙ୍କ ଭିଣୋଇ ରାଜୁ ଓ ତାଙ୍କ ସାନ ଭାଇ ଲବ ବାପାଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ପାରିବାରିକ କଳହରୁ ଦୁଇ ଭାଇ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଥିଲା । ସାନ ଝିଅ ସଂଯୁକ୍ତା ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେହି ମାମଲାର ବିଚାର କରି ଆଜି କୋର୍ଟ ଏହି ରାୟ ଶୁଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.