ଚଇତି ପର୍ବ ବନ୍ଦ କରିବା ପଡିଲା ମହଙ୍ଗା, ଆକ୍ରମଣ କରିବା ସହିତ ପୋଲିସ୍‌ ଗାଡିକୁ ଭାଙ୍ଗି ଚୁରମାର କଲେ ସ୍ଥାନୀୟ ଲୋକେ

ଉଦଳା: କୋଭିଡ ନିୟମ ଉଲ୍ଲଂଘନ କରି ଜମିଥିଲା ଭିଡ। ଖବର ପାଇ ପହଁଚିଲା ପୋଲିସ୍‌। ଭିଡ ଜମିଥିବାକୁ ନେଇ ତାଗିଦ୍ କରିବା ଶେଷରେ ପୋଲିସକୁ ପଡିଲା ମହଙ୍ଗା । ଆକ୍ରମଣର କରିବା ସହିତ ପୋଲିସ୍ ଗାଡିକୁ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ଶରତ ଥାନା ଦେୱାନବାହାଳି ଗ୍ରାମରେ ।

ଗତକାଲି ବିଳମ୍ବିତ ରାତିରେ ଶରତ ଥାନା ଦେୱାନବାହାଳି ଗ୍ରାମରେ ଚଇତି ପର୍ବ ପାଳନ ହେଉଥିଲା। ହେଲେ କୋଭିଡ ନିୟମକୁ ଉଲ୍ଲଂଘନ କରି ହଜାର ହଜାର ଲୋକ ଏକଜୁଟ୍‌ ହୋଇଥିବାର ଖବର ପାଇଥିଲା ପୋଲିସ୍‌ । ଖବର ପାଇବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଂଚିଥିଲା । ହେଲେ ପୋଲିସ୍‌ ଗାଡିକୁ ଦେଖି ତାତିଥିଲେ ଲୋକେ । ଏହା ପରେ ଯିଏ ଯେପରି ପାରିଲା ପୋଲିସ୍‌ ଉପରକୁ ଆକ୍ରମଣ କରିବାକୁ ଲାଗି ପଡିଲେ ।

କିଏ ପୋଲିସ୍‌ ଗାଡି ଉପରେ ଚଢି ଗାଡି ଭଙ୍ଗାରୁଜା କରିଥିଲା ତ କିଏ ଗାଡିର କାଚ ଭାଙ୍ଗିଥିଲା । ଏହା ସହିତ ପୋଲିସ୍‌କୁ ମଧ୍ଯ ଆକ୍ରମଣ କରାଯାଇଥିଲା । ୫ହଜାରରୁ ଉର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ପୋଲିସ୍‌ ଉପରକୁ ଆକ୍ରମଣ କରିଥିବା ବେଳେ ପୋଲିସ୍‌ ଗାଡିକୁ ଭାଙ୍ଗି ଚୁରମାର କରିଥିଲେ । ଘଟଣାସ୍ଥଳକୁ ଯାଇଥିବା ପୋଲିସ୍‌ କର୍ମଚାରୀମାନେ ନିଜ ଜୀବନ ବଂଚାଇ ଘଟଣାସ୍ଥଳରୁ ଖସି ଆସିଥିଲେ ।

ଏହି ଆକ୍ରମଣରେ ଶରତ ଥାନାର ଏଏସଆଇ ବିଶ୍ୱଜିତ୍‌ ଦାସ ମହାପାତ୍ର ଗୁରୁତର ହୋଇଥିବା ବେଳେ, ଜଣେ ହୋମଗାର୍ଡ ଏବଂ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି । ଗୁରୁତର ଏଏସଆଇଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.