ନୀଳକନ୍ଦରକୁ ବାହୁଡ଼ୁଛନ୍ତି ନୀଳମଣି, ଅଭିମାନିନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ସାଙ୍ଗରେ ଆଣିଛନ୍ତି ରସଗୋଲା

ପୁରୀ(କେନ୍ୟୁଜ୍):  ନୀଳକନ୍ଦରକୁ ବାହୁଡ଼ୁଛନ୍ତି ନୀଳମଣି । ଶ୍ରୀକ୍ଷେତ୍ରରେ ରଥ ଉପରୁ ଗୋଟି ପହଣ୍ଡିରେ ଶ୍ରୀଜିଉଙ୍କୁ ରତ୍ନସିଂହାସନକୁ ନିଆଯାଉଛି । ରଥଯାତ୍ରାର ପରେ ରତ୍ନସିଂହାସନକୁ ବିଜେ କରୁଛନ୍ତି ମହାପ୍ରଭୁ । ପ୍ରଥମେ ମଦନମୋହନ,ରାମକୃଷ୍ଣଙ୍କ ପରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ଏହାପରେ ବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ସେବାୟତମାନେ ଆଣି ରତ୍ନ ସିଂହାସନରେ ବିଜେ କରାଇଛନ୍ତି । ରଥ ଉପରୁ ମାଆ ସୁଭଦ୍ରାଙ୍କୁ ପହଣ୍ଡି କରି ଶ୍ରୀମନ୍ଦିରକୁ ଆଣି ବିରାଜମାନ କରାଯାଇଛି । ଏହାପରେ ଅନୁଷ୍ଠିତ ହୋଇଛି କାଳିଆ ଠାକୁରଙ୍କ ପହଣ୍ଡି । ତେବେ ଆଜି ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ ।

ରଥଯାତ୍ରାରେ ତାଙ୍କୁ ସାଙ୍ଗରେ ନେଇନଥିବାରୁ ମାଆ ମହାଲକ୍ଷ୍ମୀ ଅଭିମାନ କରିଥିଲେ । ଏଥିପାଇଁ ହେରାପଞ୍ଚମୀରେ ଯାଇ ରଥ ଭାଙ୍ଗିଥିଲେ । ଆଜି ରସଗୋଲା ଖୁଆଇ ତାଙ୍କର ମାନଭଞ୍ଜନ କରିବେ କାଳିଆ ଠାକୁର । ସେପଟେ ପହଣ୍ଡି ଶେଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୁନ୍ଧା ହେବା ସହ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ବଡସିଂହାର ବେଶ, ବଡସିଂହାର ଭୋଗ କରାଯାଇ ପହୁଡ କରାଯିବ। ନୀଳାଦ୍ରି ବିଜେ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଳବତ୍ତର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.